ପୁରୀରୁ ୧୨୫୦ କି.ମି ଦୂରରେ ବାତ୍ୟା, ୧୦ରୁ ଉପକୂଳରେ ବର୍ଷା

ଭୁବନେଶ୍ୱର: ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା ନାହିଁ । ତଥାପି ଯେକୌଣସି ପରିସ୍ଥିତିର ମୁକାଲିବା କରିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ଲଘୁଚାପ କ୍ଷେତ୍ର ଅବପାତର ରୂପ ନେଇସାରିଛି । ଏହା ଏବେ ପୁରୀରୁ 1250 କିଲୋମିଟର ଦୂରରେ ଅଛି । 10ତାରିଖରେ ସମୁଦ୍ର ମଧ୍ୟରେ ଡାହାଣକୁ ମୋଡ଼ି ହୋଇ ଗତିକରିବ । ସେତେବେଲେ ଏହା ଉପକୂଳରୁ ଯଥେଷ୍ଟ ଦୂରରେ ଗତି କରିବ । ଫଳରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ନାହିଁ । ଏନେଇ କାଲି ଆହୁରି ସ୍ପଷ୍ଟ ସୂଚନା ଆସିବ ।

ତେବେ ବାତ୍ୟା ପ୍ରଭାବରେ ବର୍ଷା ସହିତ ପବନ ହେବ । ଉପକୂଳରେ ପବନ ଘଣ୍ଟାପ୍ରତି ସର୍ବାଧିକ 50ରୁ 60 କିଲୋମିଟର ବେଗରେ ବହିବ । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ୧୧ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କଟକରେ ବର୍ଷା ହେବ । କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେଲେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବନି । କେତେକ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇପାରେ ।

ଏହାର ପ୍ରତିକାର ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ସମୁଦ୍ର ଅଶାନ୍ତ ରହିବ । ଏଣୁ କାଲିଠୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସବୁ ମାଛଧରା କେନ୍ଦ୍ରକୁ ସତର୍କ କରାଯାଇଛି । କାଲି ସୁଦ୍ଧା ସବୁ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରିଆସିବେ । ଅନ୍ୟପଟେ ବର୍ଷା ପାଇଁ କିଛି ମାତ୍ରାରେ ଚାଷ କ୍ଷତିଗ୍ରସ୍ତ ହୋଇପାରେ । ଚାଷୀଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି ।

୧୮ଜିଲ୍ଲାରେ ୮୬୨ ପ୍ରସ୍ତୁତ ରହିଛି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ । ଆବଶ୍ୟକ ହେଲେ ସାଢେ ୭ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ଆଇଏମଡି ସୂଚନା ଅନୁସାରେ ପବନ ଅଧିକ ହେବନି । ତଥାପି ଜିଲ୍ଲାପାଳମାନେ ସତର୍କ ଅଛନ୍ତି । ରେସପନ୍ସ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସଆରସି ।