spot_img

Latest Posts

ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଉପକୂଳବର୍ତ୍ତୀ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏପର୍ଯ୍ୟନ୍ତ ଘୂର୍ଣ୍ଣିବଳୟର ପ୍ରଭାବ ଅନୁଭୂତ ହୋଇନାହିଁ । ଉପକୂଳବର୍ତ୍ତୀ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ବାତ୍ୟା ମୁକାବିଲା ପ୍ରସ୍ତୁତି ପାଇଁ ସଜାଗ ରହିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏସଆରସିଙ୍କ ଦାୟିତ୍ବରେ ଥିବା ସତ୍ୟବ୍ରତ ସାହୁ ।

ଆସନ୍ତା ୨୨ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ସାହୁ । ଏବେ କେବଳ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଦୀପାବଳୀ ଛୁଟିକୁ ବାତିଲ କରାଯିବା ସହ ହେଡ୍ କ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜ୍ଞାନ ସାହୁ ।

ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ବାତ୍ୟା ଆସିଲେ ଉଦ୍ଧାର କାର୍ଯ୍ୟରୁ କିପରି ତ୍ବରାନ୍ବିତ କରାଯିବ, ଗ୍ରାଉଣ୍ଡ ଜିରୋରେ କିଭଳି ଲୋକଙ୍କୁ ସତର୍କ କରାଯିବ, ସେନେଇ ଆଲୋଚନା ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍, ଏନ୍‌ଡିଆରଏଫ୍‌ ସହ ସ୍ଥାନୀୟ ପୋଲିସ ସଜାଗ ରହିବେ। ଜିରୋ କାଜୁଆଲିଟିକୁ ସବୁବେଳେ ଗୁରୁତ୍ବ ଦେଉଥିବା ରାଜ୍ୟ ସରକାର ଏବେଠୁ ସଜାଗ ହୋଇଛନ୍ତି ।

ବାତ୍ୟା ଆସୁଥିବା ନେଇ ଆଜି ମଧ୍ୟାହ୍ନରେ ପାଣିପାଗ ବିଭାଗ ପକ୍ଷରୁ ଚିତ୍ର ସ୍ପଷ୍ଟ କରାଯାଇଥିଲା । । ଏହାର ନାଁ ସି-ତ୍ରାଙ୍ଗ ରଖାଯାଇଛି । ବାତ୍ୟାର ନାଁ ଦେଇଛି ଥାଇଲାଣ୍ଡ । ବାତ୍ୟା ନେଇ ଚିତ୍ର ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ । ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ହେବ କେନ୍ଦ୍ରୀଭୂତ ।

ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୨୨ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ଅବପାତର ରୂପ। ୨୩ କିମ୍ବା ୨୪ ତାରିଖ ବେଳକୁ ନେବ ବାତ୍ୟାର ରୂପ । ଏହାର ପ୍ରଭାବରେ ୨୨ ତାରିଖ ସକାଳୁ ଓଡିଶାରେ ଆରମ୍ଭ ହେବ ବର୍ଷା । ଘଣ୍ଟା ପ୍ରତି ୪୫ ରୁ ୬୫ କିମି ବେଗରେ ରହିବ ପବନର ବେଗ । ସମୁଦ୍ରରେ ଆସିବ ଉଚ୍ଚ ଜୁଆର, ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି ।

୨୩ ସକାଳୁ ବଢିବ ବର୍ଷାର ପରିମାଣ । ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ବାତ୍ୟା କେଉଁ ଉପକୂଳ ଅତିକ୍ରମ କରିବ, କେବେ ଅତିକ୍ରମ କରିବ, ଏହାର ତୀବ୍ରତା କେତେ ରହିବ, ସେନେଇ ପୂର୍ବାନୁମାନ କରାଯାଇନଥିବା ଆଇଏମ୍‌ଡି ଡିଜି କହିଛନ୍ତି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ। ବାତ୍ୟାର ଗତିପଥ ସ୍ପଷ୍ଟ ହେବା ପରେ ଏହାର ପ୍ରଭାବ କେଉଁ ଅଞ୍ଚଳରେ ଅଧିକ ପଡିବ ସେନେଇ ଜଣାପଡିବ।

Latest Posts

Don't Miss