ହିଟ୍ ଓ୍ୱେଭ୍ ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସ୍ଆରସି: ଏହି ସବୁ ବ୍ୟବସ୍ଥା କରିବାକୁ ପରାମର୍ଶ

1 min read

ଭୁବନେଶ୍ୱର: ହିଟ୍ ଓ୍ୱେଭ୍ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଆଧାରରେ ଜିଲ୍ଲପାଳଙ୍କୁ ସର୍ତକ କରାଇଲେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) । ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସ୍‌ଆରସି ପ୍ରଦୀପ ଜେନା । ଅନଗୁଳ, ବାଲେଶ୍ୱର, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡ଼ା, ଖୋର୍ଦ୍ଧା, ମୟୂରଭଂଜ, ନୟାଗଡ଼, ସମ୍ବଲପୁର ଓ ସୋନପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆରସି । ୧୬ ତାରିଖ ସକାଳ ୮ ଘଣ୍ଟା ୩୦ ମିନିଟ ସମୟରୁ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହର ଆଶଙ୍କା ରହିଛି । ସେହିଭଳି ଉପରୋକ୍ତ ୮ ଜିଲ୍ଲା ସମେତ ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ୧୭ ତାରିଖ ସକାଳ ସାଢ଼େ ୮ଟାରୁ ୧୮ ତାରିଖ ସକାଳ ୮ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି । ଅନ୍ୟପକ୍ଷରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲା ୧୮ ତାରିଖ ସକାଳ ସାଢ଼େ ୮ରୁ ୧୯ ତାରିଖ ସକାଳ ସାଢ଼େ ୮ ଯାଏଁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ରହିବାକୁ ଚିଠିରେ ଉଲ୍ଲେଖ ରହିଛି ।

ଏହା ସହିତ ଏ ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଶିଶୁ, ବୟସ୍କ ଓ ଅସୁସ୍ଥ ଲୋକ ଘରୁ ନ ବାହାରିବାକୁ ପରାମର୍ଶ । ଦ୍ୱିପ୍ରହରେ ଘରୁ ବାହାରିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ । ପରିସ୍ଥିତି ଉପରେ ନଜର ରଖି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି SRC ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ହିଟ୍‌ଓ୍ୱେଭ୍ ମୁକାବିଲା ଲାଗି ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଦିନ ୧୧ଟାରୁ ୩ଟା ଯାଏ ବସ୍ ଚଳାଚଳକୁ ବାରଣ କରାଯାଇଛି । ବସ୍‌ରେ ବିଶୁଦ୍ଧ ପାନୀୟ ଜଳ ଏବଂ ଓଆରଏସ ରଖିବାକୁ ପରାମର୍ଶ ଦିଆଯାଇଛି । ବସ୍‌ଷ୍ଟପରେ ରହିବ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ରହିଛି । ବସରେ ଗହଳିକୁ ବାରଣ କରାଯାଇଛି । ଜାତୀୟ ରାଜପଥରେ ଖୋଲିବ ଓ୍ୱାଟର କିସ୍କକୋ । ପରିବହନ ବିଭାଗ କରିବ ଏନଫୋର୍ସମେଣ୍ଟ । ଜିଲ୍ଲାସ୍ତରୀୟ କଣ୍ଟ୍ରେଲ ରୁମ୍ ଖୋଲିବ ଏବଂ ଏସବୁ ବ୍ୟବସ୍ଥାର ତଦାରଖ କରିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।

ଏଥିସହିତ ପଢ଼ନ୍ତୁ: ହିଟ୍ ଓ୍ୱେଭ୍ ପାଇଁ ଆକ୍ସନ ପ୍ଳାନ୍: ୧୧ଟାରୁ ୩ଯାଏଁ ଗଡ଼ିବନି ବସ୍