SRCଙ୍କ ନୂଆ ଗାଇଡଲାଇନ ପରେ କଡ଼ା ହେଲା କରୋନା କଟକଣା, ବାହାଘରରେ ବରଯାତ୍ରୀଙ୍କୁ ମନା

1 min read
SRC fresh COVID-19 Guidelines For Marriage

ଭୁବନେଶ୍ୱର: କରୋନା କଟକଣା ଲାଗୁ ହେବା ପରେ ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ସାମିଲ୍ ହେବା ପାଇଁ ସରକାର ନିୟମ କରିଛନ୍ତି । ଏହା ସତ୍ତ୍ୱେ ନିକଟରେ ଏକ ବିବାଦୀୟ ବିବାହ ଅନୁଷ୍ଠିତ ହୋଇଥିଲା । ଏଭଳି ଏକ ଘଟଣା ଗୋପାଳପୁରରେ ଦେଖିବାକୁ ମିଳିଥିଲା । ବିବାହରେ ଏକ ବଡ ହୋଟେଲ ମାଲିକଙ୍କ ପୁଅ ବଡ ପ୍ରୋସେସନରେ ବାହାରିଥିଲେ । ନିଜ ବିବାହରେ ନିଜେ କାର ଉପରେ ଛିଡା ହୋଇ ନାଚୁଥିଲେ । ଆଉ ତାଙ୍କ ସହ ବରଯାତ୍ରୀମାନେ ମଧ୍ୟ ସବୁ କରୋନା କଟକଣାର ଖୁଲମଖୁଲା ଉଲଂଘନ କରିଥିଲେ ।

ବିନା ମାସ୍କରେ ସବୁ ନାଚୁଥିଲେ ଓ ସାମାଜିକ ଦୂରତାର ପାଳନ ମଧ୍ୟ କରିନଥିଲେ । ଅନ୍ୟ ପକ୍ଷରେ ଏହି ଭୋଜି କାର୍ଯ୍ୟକ୍ରମରେ ବ୍ରହ୍ମପୁର ନିକଟସ୍ଥ ବହୁ ଗ୍ରାମାଂଚଳରୁ ଲୋକେ ଆସି ଯୋଗ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଗୋପାଳପୁର ମେ ଫେୟାର ହୋଟେଲକୁ ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଗଞ୍ଜାମର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ କୋଭିଡ୍ କଟକଣା ଭୁଲି ପୁଅ ବାହାଘରକୁ ଏହି ହୋଟେଲରେ ଧୁମଧାମରେ କରିଥିଲେ । ଉତ୍ସବରେ ଶହ ଶହ ଲୋକ ସାମିଲ୍ ହୋଇଥିଲେ ଯାହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା ।

ତେବେ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ ନେଇ ଆହୁରି କଠୋର ହେଲେ ରାଜ୍ୟ ସରକାର । ଏଣିକି ବାହାଘରରେ ବରଯାତ୍ରୀକୁ ଅନୁମତି ମିଳିବନି । ସେହିଭଳି ପୋଲିସ ଅନୁମତି ପରେ ହିଁ ହୋଇପାରିବ ବିବାହ ଆୟୋଜନ । ସାମାଜିକ କାର୍ଯ୍ୟକ୍ରମରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିବା ଘଟଣାକୁ ନଜରରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି SRC । ବିବାହଘରରେ ସର୍ବାଧିକ ୫୦ଜଣଙ୍କ ଯୋଗଦାନକୁ ଅନୁମତି ଥିବା ବେଳେ ଏହାକୁ ସୁନିଶ୍ଚିତ କରିବେ ପୋଲିସ । ତେବେ କୌଣସି ବ୍ୟକ୍ତିଙ୍କ ଫ୍ଲୁ କିମ୍ବା ଶ୍ୱାସ ରୋଗ ଥିଲେ ବାହାଘରକୁ ଅନୁମତି ମିଳିବନି ବୋଲି କୁହାଯାଇଛି ।

Leave a Reply