ଖରା ବିରୋଧରେ ଲଢିବାକୁ ରାଜ୍ଯ ସରକାରଙ୍କ ଯୁଦ୍ଧଂଦେହୀ ଡାକରା

ଭୁବନେଶ୍ବର: ୫ ଜିଲ୍ଲାରେ ୫ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ନେଇ ସ୍ପଷ୍ଟ କଲେ ରାଜ୍ଯ ସରକାର । ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଏବଂ ଝାରସୁଗୁଡା ଜିଲ୍ଲାରୁ ଅଂଶୁଘାତରେ ମୃତ୍ଯୁ ନେଇ ଅଭିଯୋଗ ହୋଇଛି । ଯାହାର ତଦନ୍ତ କରୁଛନ୍ତି ରାଜ୍ଯ ସରକାର । ଏମାନଙ୍କର ଶବ ବ୍ଯବେଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ଯୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସଆରସି ସତ୍ଯବ୍ରତ ସାହୁ ।

ତେବେ ବାଲେଶ୍ବର, ଢେଙ୍କାନାଳ, ମୟୂରଭଞ୍ଜ, ସୋନପୁର ଏବଂ ବଲାଙ୍ଗୀରରେ ଜଣେ ଲେଖାଏଁ ବ୍ଯକ୍ତିଙ୍କର ମୃତ୍ଯୁ ହୋଇଥିବାନେଇ ସ୍ପଷ୍ଟ କରିଛନ୍ତି ଏସଆରସି । ତେବେ ରାଜ୍ଯର ପଶ୍ଚିମାଞ୍ଚଳ ଓ ମଧ୍ଯ ଓଡ଼ିଶାରେ ହିଟ ୱେଭ ସ୍ଥିତି ଆହୁରି ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ । ଏହି ଅଞ୍ଚଳର ୧୯ ଷ୍ଟେସନରେ ୪୦ ଡିଗ୍ରୀ ଉପରେ ଏବଂ ୧୨ ଷ୍ଟେସନରେ ୪୪ ଡିଗ୍ରୀ ଉପରେ ତାତି ରହୁଛି । ଏଥିପାଇଁ ସତର୍କ ରହିବାକୁ ନିବେଦନ କରିବା ସହ ଲୋକଙ୍କ ସହଯୋଗ ଲୋଡିଛନ୍ତି ଏସଆରସି ।

ପିକ ଆୱାର ଦିନ ୧୧ଟାରୁ ୩ଟାଯାଏଁ ଦରକାର ନପଡିଲେ ବାହାରକୁ ନବାହାରିବା ପାଇଁ ସେ ନିବେଦନ କରିଛନ୍ତି । ଏହାକୁ ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଆରସି । ସେହିପରି ଅତି ଜରୁରୀ ପରିସ୍ଥିତିରେ ବାହାରକୁ ବାହାରିବାର ଥିଲେ ସଂପୂର୍ଣ୍ଣ ସୁରକ୍ଷାରେ ବାହାରକୁ ଯିବାକୁ କହଛନ୍ତି । ହାଲୁକା ସୂତା ବସ୍ତ୍ର ପିନ୍ଧିବା ସହ ଛତା, ଜୋତା, ପାଣି ବୋତଲ, ଓଆରଏସ ସାଙ୍ଗରେ ନେବେ । ବୃଦ୍ଧବୃଦ୍ଧା, ଗର୍ଭବତୀ, ଶିଶୁଙ୍କୁ ବେଶୀ ସତର୍କ ରହିବାକୁ ନିବେଦନ କରାଯାଇଛି । ସୁନ୍ଦରଗଡ ଓ ଝାରସୁଗୁଡାରୁ ଆସିଥିବା ଅଭିଯୋଗ ଗୁଡିକରେ ଅଧିକାଂଶ ଶ୍ରମିକ ଅଛନ୍ତି । ଯେଉଁମାନେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବାର ପ୍ରାରମ୍ଭିକ ସୂଚନା ମିଳିଛି । ଏହାର ତଦନ୍ତ କରିବା ଲାଗି ଗତକାଲି ସନ୍ଧ୍ୟାରେ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ଘଟଣାସ୍ଥଳକୁ ଯାଉଛନ୍ତି । ରିପୋର୍ଟ ଆସିବା ପରେ ଜଣାପଡିବ ମୃତ୍ୟୁର ପ୍ରକୃତ କାରଣ । ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଆଦି ଜିଲ୍ଲାକୁ ହିଟ ୱେଭ ନେଇ ବାରମ୍ବାର ଅବଗତ କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ, କଲେଜ ବନ୍ଦ ରହିଛି । ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଅତି ଜରୁରୀ କାର୍ଯ୍ୟକୁ ସକାଳେ ବା ଅପରାହ୍ନରେ କରିହେବ । ଶ୍ରମିକମାନଙ୍କ ଲାଗି ସମାନ ଗାଇଡ଼ଲାଇନ ଶ୍ରମ ବିଭାଗ ପକ୍ଷରୁ ହୋଇଛି । ବସ ଯାତ୍ରୀଙ୍କ ଲାଗି ପରିବହନ ବିଭାଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚାର ଓ ଜନସାଧାରଣଙ୍କ ସଚେତନତା ଲାଗି ପଦକ୍ଷେପ ନେବେ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ହେବ । ଏଥିରୁ କିଛି ଜିଲ୍ଲାରେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅଲଗା ଗାଇଡ଼ଲାଇନ ଜାରୀ ହୋଇଛି । ସରକାର ଆଇଏମଡି ସହିତ ବରାବର ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ଏସଆରସି ।