ଶ୍ରାବଣର ପ୍ରଥମ ସୋମବାରରେ ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଗତକାଲି ବିଭିନ୍ନ ନଦୀରୁ ପାଣି ଉଠାଇ କାଉଡ଼ିଆମାନେ ଶିବ ମନ୍ଦିର ଯାତ୍ରା କରିଥିଲେ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାଶ ମନ୍ଦିରରେ ପାଣି ଢାଳୁଛନ୍ତି ଭକ୍ତ ।

ମନସ୍କାମନା ପୂରଣ ଲାଗି ଜଳାଭିଷେକ କରୁଛନ୍ତି ଶ୍ରଦ୍ଧାଳୁ । ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡୁଥିବାବେଳେ ଜୁଲାଇ ମାସରେ ଆଜି ଓ ୧୭ ତାରିଖ ଦିନ ଜଳଲାଗି କରାଯିବ । ସେହିପରି ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର ୨୧ ତାରିଖ ଓ ୨୮ ତାରିଖ ଦିନ ମଧ୍ୟ ଜଳଲାଗିର ବ୍ୟବସ୍ଥା ରହିଛି । କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ୧୨ ଟି ମୋବାଇଲ ପେଟ୍ରୋଲିଂ ଟିମ, ୧୩ ଟି ପିସିଆର ରହିଛି । ଛକ ମାନଙ୍କରେ ଫାଷ୍ଟ ଏଡ ଓ ମୋବାଇଲ ମେଡିକାଲ ୟୁନିଟ ରଖାଯାଇଛି । ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ ଓ ଫାୟାର ଫାଇଟିଂ ୟୁନିଟ ନିୟୋଜିତ ହୋଇଛନ୍ତି । ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ଅଧୀନରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।