ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: ଜାମିନ ଆବେଦନ ପ୍ରତ୍ୟାହାର କଲା ଅଭିଯୁକ୍ତ ଆଫତାବ
1 min read
ନୂଆଦିଲ୍ଲୀ: ଜାମିନ ଆବେଦନ ପ୍ରତ୍ୟାହାର କଲା ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ଅଭିଯୁକ୍ତ ଆଫତାବ ପୁନାଓ୍ବାଲା । ଓକିଲଙ୍କ ସହ ଉପଯୁକ୍ତ ଯୋଗାଯୋଗ ଅଭାବରୁ ସେ ଆବେଦନ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ଦିଲ୍ଲୀ କୋର୍ଟ କହିଛନ୍ତି- ଆଫତାବର ସହମତି ବିନା ତା ଜାମିନ ଆବେଦନ ତ୍ରୁଟିଯୁକ୍ତ ଭାବେ କରାଯାଇଥିଲା ।
ଆଫତାବର ଓକିଲ ଏମଏସ ଖାନ କହିଛନ୍ତି ୫୦ ମିନଟର ଆଲୋଚନା ପରେ ନିଜ ଜାମିନ ଆବେଦନ ପ୍ରତ୍ୟାହାର ଲାଗି ଅଭିଯୁକ୍ତ ନିଷ୍ପତ୍ତି ନେଇଥିଲା । ପୋଲିସ ଚାର୍ଜସିଟ ଦାଖଲ କରିବା ପରେ ଜାମିନ ଆବେଦନ ପୁନର୍ବାର ଦାଖଲ ହେବ । ସେପଟେ ଆଫତାବ ପୁନାଓ୍ବାଲା କରିଥିବା ଜଘନ୍ୟ କାଣ୍ଡ ସମାଜରେ ଗଭୀର ଭାବେ ପ୍ରଭାବ ପକାଉଥିବାରୁ ତାକୁ ଜାମିନ ନଦେବା ଲାଗି ସାକେତ କୋର୍ଟରେ ଉତ୍ତର ରଖିଥିଲା ଦିଲ୍ଲୀ ପୋଲିସ । ଗତ ଡିସେମ୍ବର ୯ତାରିଖରେ ଆଫତାବର ବିଚାର ବିଭାଗୀୟ ହାଜତ ଅବଧି ୧୪ ଦିନ ଲାଗି ବଢାଯାଇଥିଲା ।