ଶ୍ରଦ୍ଧା ହତ୍ୟା ମାମଲା: ପ୍ରେମିକାର ମୁଦିକୁ ଅନ୍ୟ ଯୁବତୀଙ୍କୁ ଗିଫ୍ଟ ଦେଇଥିଲା ଆଫତାବ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ମିଳିଥିବା ସୂଚନାନୁଯାୟୀ, ଯେଉଁ ଅସ୍ତ୍ରରେ ଶ୍ରଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରାଯାଇଥିଲା ପୋଲିସ ସେହି ଅସ୍ତ୍ରକୁ ଜବତ କରିଛି । ପ୍ରକାଶଥାଉକି ଏହା ପୂର୍ବରୁ ଜଙ୍ଗଲରୁ ଯେଉଁ ଶରୀରର ଅଂଶବିଶେଷ ମିଳିଥିଲା ତାକୁ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ସହ ପରୀକ୍ଷା କରାଯାଇଛି । ତେବେ ତାହା ଶ୍ରଦ୍ଧାଙ୍କର କି ନୁହେଁ ସେନେଇ କୌଣସି ତଥ୍ୟ ଆସିପାରି ନାହିଁ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଶ୍ରଦ୍ଧାଙ୍କ ରିଙ୍ଗ ମଧ୍ୟ ଜବତ କରିଛି ।

ଶ୍ରଦ୍ଧାଙ୍କ ଏହି ରିଙ୍ଗକୁ ଆଫତାବ ଆଉ ଜଣେ ଯୁବତୀଙ୍କୁ ଗିଫ୍ଟ ଦେଇଥିଲା । ଏହି ଯୁବତୀ ଜଣଙ୍କ ସହ ଏକ ଡେଟିଂ ଆପ୍ ଜରିଆରେ ପ୍ରେମ ସମ୍ପର୍କ ସ୍ଥାପନା କରିଥିଲା ଆଫତାବ । ଶ୍ରଦ୍ଧାଙ୍କ ହତ୍ୟା ପରେ ଉକ୍ତ ଯୁବତୀ ଜଣଙ୍କ ତାଙ୍କ ଫ୍ଲାଟକୁ ମଧ୍ୟ ଆସିଥିବାର ଜଣାଯାଇଥିଲା । ପୋଲିସ ମାମଲାରେ ଲଗାତାର ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଖୋଜୁଛି । ଯାହାଫଳରେ ସଇତାନ ଆଫତାବକୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଇ ପାରିବ । ଶ୍ରଦ୍ଧାଙ୍କ ହତ୍ୟା ପରେ ୩୦ରୁ ଅଧିକ ଖଣ୍ଡ କରିଥିବା କହିଥିଲା ଆଫତାବ ।

ପୋଲିସକୁ ଯେଉଁ ଅସ୍ତ୍ର ମିଳିଛି ସେ ସମ୍ପର୍କରେ କୁହାଯାଉଛି ଯେ ଏହି ଅସ୍ତ୍ରରେ ଶ୍ରଦ୍ଧାଙ୍କୁ ଅନେକ ଖଣ୍ଡରେ ଅଫତାବ କାଟିଥିଲା ଏବଂ ଏହାପରେ ତାଙ୍କ ଶବର ଅଂଶ ବିଶେଷକୁ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ି ଦେଇଥିଲା । ଏହି ଅସ୍ତ୍ର ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ପ୍ରମାଣିତ ହୋଇପାରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କୁହାଯାଉଥିବା ଶ୍ରଦ୍ଧାଙ୍କ ମୁଣ୍ଡ ବର୍ତ୍ତମାନ ସୁଦ୍ଧା ପୋଲିସକୁ ମିଳିନାହିଁ । ଆଫତାବ ପୁନାୱାଲାର ପଲିଗ୍ରାଫ ଟେଷ୍ଟ ହୋଇଛି । ପଲିଗ୍ରାଫ ପରେ ନାର୍କୋ ଟେଷ୍ଟ ମଧ୍ୟ କରାଯିବ ।

ସୂଚନାଥାଉକି, ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଆଫତାବ ପୁନାୱାଲା ପୋଲିସ ଆଗରେ ମାନିଥିଲା କି, ୬ ସମା ତଳେ ସେ ତାର ଲିଭ-ଇନ ପାର୍ଟନର ଶ୍ରଦ୍ଧା ୱାକରଙ୍କ ହତ୍ୟା କରିଥିଲା । ଦିଲ୍ଲୀର ଛତରପୁର ଆପାର୍ଟମେଣ୍ଟରେ ହତ୍ୟା ପରେ ଶରୀରକୁ ୩୫ ଖଣ୍ଡରେ କାଟି ଦେଇଥିଲା । ଫ୍ରୀଜରେ ଏହି ମାଂସ ଖଣ୍ଡକୁ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ରଖିଥିଲା । ଧୀରେ ଧୀରେ ମାଂସ ଖଣ୍ଡ ଗୁଡ଼ିକୁ ରାତି ଅଧରେ ପାଖ ଜଙ୍ଗଲ ଓ ଅନ୍ୟ ସ୍ଥାନରେ ପକାଇଥିଲା ।