ପାରାଦୀପ ମଝିସମୁଦ୍ରରୁ ସନ୍ଦିଗ୍ଧ ପାରା ଉଦ୍ଧାର, ଦେହରେ ଲାଗିଛି କ୍ୟାମେରା ଓ ଚିପ୍

ପାରାଦୀପ: ସମୁଦ୍ରରେ ବୁଲୁଥିଲା ଗୁପ୍ତଚର ପାରା । ମଝି ସମୁଦ୍ରରେ ପାରାକୁ ନେଇ ତନାଘନା । ପାରାଦୀପ ସମୁଦ୍ର ମଝିରୁ ଏକ ପାରାକୁ ଉଦ୍ଧାର କରିଛନ୍ତି ମତ୍ସ୍ୟଜୀବୀ । ଏହା ଏକ ଗୁପ୍ତଚର ପାରା ବୋଲି ସନ୍ଦେହ କରାଯାଉଛି । ତା ଦେହରେ କ୍ୟାମେରା ଚିପ ଓ ଡେଣାରେ ରହିଥିଲା ବିଦେଶୀ ଭାଷାର ଲେଖା । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । କୋଣାର୍କ ନିକଟ ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ପାରାଟି ବୋଟରେ ଆସି ବସିଥିଲା । ସମୁଦ୍ର ମଝିରେ ପାରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ମତ୍ସ୍ୟଜୀବୀ ।

ପାରାଟି ସମ୍ପୂର୍ଣ୍ଣ ଥକିଯାଇଥିବାବେଳେ ମତ୍ସ୍ୟଜୀବୀ ତାକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସେଠାରୁ ଉଡିଯିବାକୁ ଚେଷ୍ଟା ମଧ୍ୟ କରିନଥିଲା । ମତ୍ସ୍ୟଜୀବୀମାନେ ପାରାକୁ ଉଦ୍ଧାର କରିବା ସହିତ ତା ଗୋଡ଼ରୁ କ୍ୟାମେରା ଚିପ୍ ଓ ଡେଣାରେ ଲେଖାଥିବା ବିଦେଶୀ ଭାଷାକୁ ଦେଖି ସନ୍ଦେହ ପ୍ରକାଶ କରିଥିଲେ । ମେରାଇନ ଥାନାକୁ ଏ ସମ୍ପର୍କରେ ଜଣାଇବା ପରେ ଥାନାରେ ପାରାକୁ ଜିମା ଦେଇଛନ୍ତି । କ୍ୟାମେରା ଚିପ ଓ ଭାଷାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଡେଣାରେ ଲେଖାଥିବା ଭାଷା କେଉଁ ଦେଶର । କ୍ୟାମେରାରେ କଣ ସବୁ ରେକର୍ଡ ହୋଇଛି । କେଉଁକେଉଁ ଅଞ୍ଚଳ ଦେଇ ପାରା ଉଡିଛି । ସେ ସମ୍ପର୍କରେ କ୍ୟାମେରାରୁ ତଥ୍ୟ ଆଦାୟ କରିବାକୁ ପୋଲିସ ଉଦ୍ୟମ କରୁଛି ।