ନନ୍ଦିଘୋଷ ବ୍ୟୁରୋ : ଔଷଧ ନାଁରେ ଆପଣ ବିଷ ଖାଉ ନାହାନ୍ତି ତ। ରୋଗ ବଇରାଗ ଭଲ ହେବ ବୋଲି ଆଶା କରି ଯେଉଁ ଔଷଧ ଖାଉଛନ୍ତି ତାହା ଅସଲି ଔଷଧ ନୁହେଁ, ତାହା ହେଉଛି ପୁରା ନକଲି। ସେଥିରେ ଦେହ କଣ ଭଲ ହେବ, ବରଂ ଆହୁରି ଖରାପ ହୋଇପାରେ। କାରଣ ମାର୍କେଟରେ ମିଳିଛି ଏପରି ନକଲି ଔଷଧ। ବିଧାନସଭାରୁ ମିଳିଛି ଏହି ସାଂଘାତିକ ତଥ୍ୟ। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପ୍ରଶ୍ନରେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଛନ୍ତି ଏହି ଲିଖିତ ଉତ୍ତର, ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ପେଣ୍ଟାପ୍ରାଜଲ୍, ଲିଭୋ ସେଟ୍ରିଜିନ, ଟେଲମାଷ୍ଟ୍ରିନ, ପାରାସିଟାମଲ ପରି ୮୦ଟି ନକଲି ଔଷଧ ମାର୍କେଟରୁ ମିଳିଥିବା ବେଳେ ୪ ବର୍ଷରେ ଚିହ୍ନଟ ହୋଇଛି ୧୬୮ ନକଲି ମେଡିସିନ। କେବଳ ସେତିକି ନୁହେଁ, ୩୮୮ ଟି ନିମ୍ନମାନର ମେଡିସିନ ମଧ୍ୟ ଚିହ୍ନଟ ହୋଇଛି। ୪ ବର୍ଷରେ ଅଢେଇ କୋଟିରୁ ଅଧିକ ଟଙ୍କାର ନକଲି ଔଷଧ ଜବତ ହୋଇଛି। ଏହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି, ନକଲି ମେଡିସିନ ବିକ୍ରିର ଖୋଳତାଡ଼ ହେଉଛି।
ବଜାରରେ ନକଲି ମେଡିସିନ ବିକ୍ରି ନେଇ ସ୍ଵାସ୍ଥ୍ୟ ବିଶେଷଜ୍ଞ ବି ଉଦବେଗ ପ୍ରକାଶ କରିଛନ୍ତି। ସେମାନେ ସତର୍କ କରାଇ ଦେଇଛନ୍ତି ନକଲି ଓ ନିମ୍ନମାନର ମେଡିସିନ ଖାଇଲେ ଦେହ ଭଲ ହେବା ବଦଳରେ ଅଧିକ ଖରାପ ହେବ। ଏହାକୁ ରୋକିବାକୁ ବ୍ୟାପକ ସଚେତନତା ସହିତ କଡ଼ା ଆଇନ ଆଣିବାର ଆବଶ୍ୟକତା ରହିଛି। ପ୍ରସ୍ତୁତକର୍ତ୍ତାଙ୍କଠାରୁ ଆରମ୍ଭ କରି ଷ୍ଟକିଷ୍ଟ, ରିଟେଲର, ସବୁଠି ଚଢାଉ ହେବା ଦରକାର। କଡ଼ା କାର୍ଯ୍ୟାନୁଷ୍ଠାନ ହେଲେ ଡର ପଶିବ। ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ କହିଛନ୍ତି, ନକଲି ମେଡିସିନ କାରବାରକୁ ରୋକିବାକୁ ଲଗାତର ଚଢାଉ ହେଉଛି।
ତଥ୍ୟ ଅନୁସାରେ କୋଭିଡ ସମୟରେ ସର୍ବାଧିକ ନକଲି ମେଡିସିନ କାରବାର ଚାଲିଥିଲା। ନିକଟରେ କଟକରୁ ଜବତ ହୋଇଥିବା ନକଲି ମେଡିସିନର ଚେର ବାହାରିଥିଲା ହିମାଚଳ ପ୍ରଦେଶରୁ। ଏବେ ପୁଣି ଅନଲାଇନରେ ବି ମେଡିସିନ କାରବାର ବଢିଛି। ଏଥିପାଇଁ ନକଲି ମେଡିସିନ ମାର୍କେଟରେ ପଶିବା ସହଜ ହୋଇଛି। ଅନଲାଇନରେ ଅଧିକ ରିହାତି ମିଳୁଥିବାରୁ ଲୋଭରେ ଲୋକେ ଅନଲାଇନକୁ ପସନ୍ଦ କରୁଛନ୍ତି। ଏହା ବି ନକଲି ମେଡିସିନ କାରବାର ଏକ କାରଣ ବୋଲି କୁହାଯାଉଛି।

