ବିଷାକ୍ତ ମଦ ପିଇ ବିହାରରେ ୩୧ ମୃତ, ତେଜସ୍ୱୀଙ୍କ ଟାର୍ଗେଟରେ ନୀତିଶ

Spurious Liquor Claims 31 Lives In Bihar Opposition RJD Leader Tejashwi Yadav Slams CM Nitish

ପାଟଣା: ମଦ ବନ୍ଦ ରାଜ୍ୟରେ ମଦମୃତ୍ୟୁ । ବିହାରରେ ମଦ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବା ବେଳେ ବିଷାକ୍ତ ମଦ ପିଇ ପୁଣି ଥରେ ଅନେକ ପରିବାର ଉଜୁଡ଼ି ଯାଇଛି । ଦୀପାବଳିରେ ଗୋପାଳଗଞ୍ଜ ଓ ବେତିୟାରେ ବିଷାକ୍ତ ମଦ ପିଇ ୩୧ ଜଣଙ୍କର ମୃତ୍ୟୁ ହୋଇଛି ।  ଗୋପାଳଗଞ୍ଜରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବେତିୟାରେ ୧୧ ଜଣଙ୍କ ଜୀବନ ନେଇଛି ବିଷାକ୍ତ ମଦ । କେତେକଙ୍କ ଦୃଷ୍ଟି ଶକ୍ତି ଚାଲି ଯାଇଛି । ଏହା ପୂର୍ବରୁ ଗତ ସପ୍ତାହରେ ମୁଜଫରପୁରରେ ମଦ ପିଇ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

ମଦ ମୃତ୍ୟୁକୁ ନେଇ ତେଜସ୍ୱୀ ଯାଦବ, ନୀତିଶ ସରକାରକୁ ଟାର୍ଗେଟ୍ କରିଛନ୍ତି । ମଦ ମୃତ୍ୟୁ ପାଇଁ ନୀତିଶଙ୍କୁ ଦାୟୀ କରିଛନ୍ତି ତେଜସ୍ୱୀ । ତେଜସ୍ୱୀ ଟ୍ୱିଟ୍ କରି ଲେଖିଛନ୍ତି ‘ବିଷାକ୍ତ ମଦ ପିଇ ବିହାରରେ ଦୀପାବଳି ଦିନ ସରକାରଙ୍କ ଦ୍ୱାରା ୩୫ରୁ ଅଧିକ ଜଣଙ୍କୁ ମାରି ଦିଆଯାଇଛି । କେବଳ କାଗଜରେ ବିହାରରେ ମଦ ବ୍ୟାନ ହୋଇଥିବା ବେଳେ ପ୍ରକୃତରେ ଖୁଲମଖୁଲା ମଦ ବିକ୍ରି କରି ଲୁଟ୍ କରାଯାଉଛି ।’

ଏଥିସହ ପଢ଼ନ୍ତୁ: ବିଷାକ୍ତ ମଦ ପିଇ ୨ ଦିନରେ ୨୫ ଜଣଙ୍କ ମୃତ୍ୟୁ

ଅନ୍ୟପଟେ ମଦ ମୃତ୍ୟୁକୁ ନେଇ ବେଫିକର ପ୍ରତିକ୍ରିୟା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ କହିଛନ୍ତି, ‘ଖରାପ ଜିନିଷ ପିଇଲେ, ଏମିତି ହେବ । ଯେତେ ମନା କଲା ପରେ ବି ପିଉଛନ୍ତି । ୨୦୧୬ରୁ ବିହାରରେ ମଦ ପ୍ରସ୍ତୁତି ଓ ବିକ୍ରି ଉପରେ କଟକଣା ଲଗାଯାଇଛି । ଅଧିକାଂଶ ଲୋକ ମଦ ବନ୍ଦ ସପକ୍ଷରେ ଅଛନ୍ତି । ଲୋକଙ୍କୁ ନିବେଦନ କରୁଛି ମଦ ନ ପିଅନ୍ତୁ ।’

୨୦୧୬ ଏପ୍ରିଲ ୧ ତାରିଖରେ ବିହାରରେ ମଦ ବନ୍ଦ କରାଯାଇଥିଲା । ତେବେ ବିଭିନ୍ନ କାରଣରୁ ବିହାରରେ ମଦ ବନ୍ଦ ହୋଇ ପାରିନାହିଁ । ମଦ ବନ୍ଦ ପରେ ଅବୈଧ କାରବାର ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ମଦ ବ୍ୟାନର ଫାଇଦା ଉଠାଉଛନ୍ତି ମାଫିଆ । କିଛି ଅଧିକାରୀଙ୍କୁ ଲାଞ୍ଚ ଦେଇ ବେଧଡ଼କ ମଦ ବିକ୍ରି କରୁଛନ୍ତି । ମଦ ପ୍ରସ୍ତୁତି ସହ ବିକ୍ରି, ପରିବହନ, ବିତରଣ, ଗଚ୍ଛିତ ରଖିବା, କିଣିବା ଉପରେ ପ୍ରତିବନ୍ଧକ ରହିଛି । ଆଇନ୍ ଉଲ୍ଲଂଘନ କଲେ ଅତି କମରେ ୫୦ ହଜାର ଟଙ୍କା ଜରିମାନା ଠାରୁ ନେଇ ୧୦ ବର୍ଷ ଯାଏଁ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି ।

Leave a Reply