ବିଶ୍ବ ଉପରେ ପଡ଼ିଛି କରୋନା ଚଡ଼କ

ନୂଆଦିଲ୍ଲୀ: ବିଶ୍ବରେ ଜାରି ରହିଛି କୋଭିଡ ଓ ଓମିକ୍ରନ ତାଣ୍ଡବ । ଅଧିକାଂଶ ରାଷ୍ଟ୍ର ମୁକାବିଲା ଲାଗି କରୁଛନ୍ତି ମାଷ୍ଟରପ୍ଲାନ । ଏପଟେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଉଦବେଗ ପ୍ରକାଶ କରିଛନ୍ତି ହ୍ବାଇଟ୍ ହାଉସର ସର୍ବୋଚ୍ଚ ମେଡିକାଲ ପରାମର୍ଶଦାତା ଡାକ୍ତର ଆନ୍ଥୋନୀ ଫଉସି । ଟିକା ନେଇ ନଥିବା ଲୋକଙ୍କ ଲାଗି ରାଷ୍ଟ୍ରପତି ଜୋ ବିଡେନ ସତର୍କବାଣୀ ଶୁଣାଇଥିବା ସେ କହିଛନ୍ତି । ପ୍ରବଳ ଶୀତ ସହ ପୁଣି ଥରେ ଓମିକ୍ରନ ବିତ୍ପାତ ଘଟାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଆସନ୍ତାକାଲି ରାଷ୍ଟ୍ରପତି କୋଭିଡ ସ୍ଥିତି ସମ୍ପର୍କରେ ବିବୃତି ଦେବେ ।

ସେପଟେ ଜର୍ମାନୀରେ କୋଭିଡର ପଞ୍ଚମ ଲହର ଆସିବ ବୋଲି ସତର୍କ କରାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ କାର୍ଲ ଲଟେରବାକ୍ । ଯଦିଓ ଖ୍ରୀଷ୍ଟମାସରେ ଲକଡାଉନ କରାଯିବାର ଯୋଜନା ନାହିଁ, ତଥାପି ପଞ୍ଚମ ଲହରୀ ଅଛି ବୋଲି ସେ କହିଛନ୍ତି । ଦେଶରେ ଟିକାକରଣକୁ ବାଧ୍ୟତାମୂଳକ କରିବା ଲାଗି ସଂସଦରେ ଆଇନ ଅଣାଯିବ । ଜର୍ମାନୀରେ ବର୍ତ୍ତମାନ ସୁଦ୍ଧା 68 ଲକ୍ଷ 12 ହଜାର ଲୋକ କୋଭିଡ ସଂକ୍ରମିତ ହୋଇଥିବା ବେଳେ, ପ୍ରାଣ ହରାଇଲେଣି ୧ ଲକ୍ଷ ୯ ହଜାର ଲୋକ ।

ଓମିକ୍ରନ ମୁକାବିଲା ଲାଗି ବ୍ରିଟେନରେ ଜାରି ହୋଇଥିବା କଟକଣାକୁ କଡାକଡି କରାଯାଇଛି । ଓ୍ବାର୍କ ଫ୍ରମ୍ ହୋମକୁ ଅଧିକ ଗୁରୁତ୍ବ ଦିଆଯାଇଛି । ବ୍ୟାପକ ଆର୍ଥିକ କ୍ଷତିରେ ଗତି କରୁଥିବା ବାର୍, ରେଷ୍ଟୁରାଣ୍ଟ, ଦୋକାନ, କେଫ୍ ଆଦି କ୍ଷେତ୍ରରେ ଏହି କଟକଣା ଅଧିକ ସଂକଟ ସୃଷ୍ଟି କରିଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ନରଓ୍ବେରେ ଦୈନିକ ୩ ଲକ୍ଷ କୋଭିଡ ସଂକ୍ରମିତ ଚିହ୍ନଟ ହେବାର ଆଶଙ୍କା ଦେଖାଦେଇଛି । ସେହିପରି ନରଓ୍ବେରେ ସଭା ସମିତି, ବାର୍, ରେଷ୍ଟୁରାଣ୍ଟରେ ମଦ୍ୟପାନ, ସୁଇମିଂ ପୁଲ ଓ ଜିମ ଲାଗି କଟକଣା ଜାରି ହୋଇଛି । ଗତକାଲିଠାରୁ ନେଦରଲ୍ୟାଣ୍ଡସରେ ଲକଡାଉନ ଜାରି ହୋଇଥିବା ବେଳେ, ଖ୍ରୀଷ୍ଟମାସ ଓ ନ୍ୟୁ ଇୟର ସେଲିବ୍ରେସନକୁ ବ୍ୟାନ କରାଯାଇଛି ।

ସେପଟେ ଖ୍ରୀଷ୍ଟମାସ ଆସିବା ପୂର୍ବରୁ ସମସ୍ତଙ୍କୁ ଟିକା ନେବାକୁ ଆହ୍ବାନ ଦେଇଛନ୍ତି ଫ୍ରାନ୍ସ ସରକାର । ଡେନମାର୍କରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଅଧିକରୁ ଅଧିକ କଟକଣା ଜାରି କରାଯାଇଛି । ଆସନ୍ତା ଜାନୁଆରୀ ୩୦ ଯାଏଁ ସମସ୍ତ ହୋଟେଲ ଉପରେ କଟକଣା ଲଗାଇଛନ୍ତି ଆୟରଲ୍ୟାଣ୍ଡ ସରକାର ।

Leave a Reply