ଆନ୍ଦୋଳନରତ ରେସଲରଙ୍କୁ ଭେଟିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର

1 min read

ନୂଆଦିଲ୍ଲୀ: ଆନ୍ଦୋଳନରତ ରେସଲରଙ୍କୁ ଭେଟିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ମି-ଠୁ ଅଭିଯୋଗ ଅତି ସାଂଘାତିକ ବୋଲି କହିଛନ୍ତି ଅନୁରାଗ । ଇସ୍ତଫା ଦେବା ଲାଗି ଫେଡେରେସନ ସଭାପତି ବ୍ରିଜ ଭୂଷଣ ଶରନ ସିଂଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଦ୍ବିତୀୟ ଦିନରେ ଆନ୍ଦୋଳନ ଜାରି ରହିଥିବାବେଳେ ନିଜ ଜିଦରେ ଅଟଳ ଅଛନ୍ତି ରେସଲର । ଦେଶ ଲାଗି ଗର୍ବ ଆଣିଥିବା କୁସ୍ତିଯୋଦ୍ଧା ନ୍ୟାୟ ଲାଗି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା ଦେବା ପରେ ସାରା ଦେଶରେ ସୃଷ୍ଟି ହୋଇଛି ପ୍ରତିକ୍ରିୟା ।

ରେସଲିଂ ଫେଡେରେସନ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରନ ସିଂ ସମେତ କେତେକ କୋଚଙ୍କ ବିରୋଧରେ ସେମାନେ ଆଣିଥିଲେ ମି-ଠୁ ଅଭିଯୋଗ । ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ଫେଡେରେସନକୁ ନିର୍ଦ୍ଦେଶ ଦେଇଛି କ୍ରୀଡ଼ା ମନ୍ତ୍ରାଳୟ । ଅଭିଯୋଗର ତଦନ୍ତ ଲାଗି ଏକ ୩ ଜଣିଆ କମିଟି ବି ହୋଇପାରେ ଗଠନ । ବିକ୍ଷୋଭରେ ବିନେଶ ଫୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ସରିତା ମୋର, ସୁମିତ ମଲିକଙ୍କ ସମେତ ବହୁ ପ୍ରତିଷ୍ଠିତ ରେସଲର ହୋଇଛନ୍ତି ସାମିଲ ।

କେବଳ ଲକ୍ଷ୍ମୌ ନ୍ୟାସନାଲ କ୍ୟାମ୍ପ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ବି ବ୍ରିଜ ଭୂଷଣ ଓ କୋଚ ଯୌନ ଶୋଷଣ କରିଛନ୍ତି ବୋଲି ରେସଲର କରିଥିଲେ ଅଭିଯୋଗ । ବିବାଦର ସମାଧାନ ଲାଗି ମଧ୍ୟସ୍ଥତା କରୁଥିବା ବବିତା ଫୋଗାଟଙ୍କ ଅନୁରୋଧ ବି ପ୍ରତ୍ୟାଖ୍ୟାନ କରିଥିଲେ ଆନ୍ଦୋଳନକାରୀ । ଯୌନ ନିର୍ଯାତନାର ଅନେକ ପ୍ରମାଣ ସେମାନଙ୍କ ନିକଟରେ ରହିଛି ବୋଲି କହିଥିଲେ ଆନ୍ଦୋଳନକାରୀ । ସେପଟେ ଆସନ୍ତା ୨୨ ତାରିଖରେ ଜରୁରୀ ସାଧାରଣ ପରିଷଦ ବୈଠକରେ ସେ ଇସ୍ତଫା ଦେବା ନେଇ ଚାଲିଛି ଚର୍ଚ୍ଚା ।