କାହିଁକି କୁହାଯାଏ ବୁଝ୍ ନ ବୁଝ୍ ପଢ୍ ଗୀତା…
ଓଡ଼ିଆରେ ଗୋଟିଏ କଥା ଅଛି, ବୁଝ୍ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖା ପିତା । ସରଳ ଭାଷାରେ ଏହାର ଅର୍ଥ ହେଉଛି, ପିତା ଯେମିତି ଶରୀର ପାଇଁ ହିତକର ଗୀତା ସେମିତି ଆମ ମାନସିକ ଶାନ୍ତି ପାଇଁ ଆବଶ୍ୟକ ଯାହା ଆଜିକାଲିର ବ୍ୟସ୍ତବହୁଳ ଓ ଜଂଜାଳମୟ ଦୁନିଆରେ ସହଜେ ମିଳେ ନାହିଁ । ଏଠାରେ ଗୀତା କହିଲେ କେବଳ ହିନ୍ଦୁ ଧର୍ମର ଭଗବତ ଗୀତା ନୁହେଁ, ଧର୍ମ ନିର୍ବିଶେଷରେ ଯେ କୌଣସି ଆଧ୍ୟାତ୍ମିକ ପୁସ୍ତକକୁ ବୁଝାଏ ।
ଆଧ୍ୟାତ୍ମିକ ପୁସ୍ତକ ପଢିଲେ କ’ଣ ଲାଭ ହୁଏ ସେ ନେଇ ଅନେକ ଗବେଷଣା ହୋଇଛି ।
୧. ଜଣେ ବ୍ୟକ୍ତି ଯଦି ଧର୍ମୀୟ କାର୍ଯ୍ୟରେ ମନୋନିବେଶ କରେ ତା’ ହେଲେ ଜୀବନରୁ କ୍ଳାନ୍ତି ଦୂର ହୋଇଯାଇଥାଏ ।
୨. ଆଧ୍ୟାତ୍ମିକତାରେ ବିଶ୍ୱାସ ରଖୁଥିବା ଲୋକମାନେ ବିଭିନ୍ନ ଚାପରେ ଥିଲେ ମଧ୍ୟ ସେମାନଙ୍କ ମନକୁ ନକରାତ୍ମକ ଚିନ୍ତାଧାରା ଆସିନଥାଏ । ଯାହା ଦ୍ୱାରା ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାଙ୍ଗି ନ ପଡ଼ି ବରଂ ତାକୁ ସାମ୍ନା କରନ୍ତି ।
୩. ଧର୍ମ, ପ୍ରାର୍ଥନା ଓ ଯୋଗ ଆଦି ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ବିକାଶ ଘଟିବା ସହିତ ମାନସିକ ଚାପ କମ୍ ରହିଥାଏ । ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇଥିବା ବ୍ୟକ୍ତି ବିଶେଷ ଆଶାବାଦୀ ହେବା ସହ ସୁସ୍ଥ ଜୀବନଯାପନ କରନ୍ତି ।
ତେବେ ଏଠାରେ ଏକ ସୁନ୍ଦର ଗଳ୍ପର ଅବତାରଣା କରାଯାଇପାରେ…
ଏକଦା ବୌଦ୍ଧ ଧର୍ମରେ ବିଶ୍ୱାସ କରୁଥିବା ଜଣେ ବୃଦ୍ଧଙ୍କୁ ତାଙ୍କ ନାତି ପଚାରିଲେ ଜେଜେ ଆପଣ ସବୁଦିନେ ଧର୍ମ ପୁସ୍ତକ ପଢ଼ି କଣ ଲାଭ ପାଉଛନ୍ତି ? ମୁ ଆପଣଙ୍କ ବହି ପଢ଼ିଲି, କିଛି ବୁଝି ପାରିଲିନି, ସେଗୁଡା ମନେ ବି ରହୁନି । ବୃଦ୍ଧ ଜଣଙ୍କ କହିଲେ ଆମ ବାଡ଼ିପଟେ ଯେଉଁ କୋଇଲା ବୋଝେଇ ବାସ୍କେଟ ଅଛି ତାକୁ ନେଇ ନଈରେ ଫିଙ୍ଗି ଦେବୁ ଆଉ ନଈରୁ ବାସ୍କେଟ ଭର୍ତ୍ତି କରି ପାଣି ଆଣିବୁ । ନାତି ସେୟା କଲେ, ବାସ୍କେଟ ଧରି ନଈକୁ ଗଲେ, କୋଇଲା ଫିଙ୍ଗିଲେ କିନ୍ତୁ ବାଟରେ ପାଣିତକ ବୋହିଗଲା । ବୃଦ୍ଧ କହିଲେ, ଆଉ ଥରେ ଯାଇ ପାଣି ଆଣି ଆସେ , ପାଣି ଆସିବା ନିହାତି ଦରକାର ।
ନାତି ପ୍ରତି ଥର ନିଜ ଦୌଡ଼ିବା ବେଗ ବଢ଼ାଇ ବାରମ୍ବାର ଉଦ୍ୟମ କଲେ, କିନ୍ତୁ ଘର ପର୍ଯ୍ୟନ୍ତ ପାଣି ଆଣିବା ସମ୍ଭବ ହେଲା ନାହିଁ । ଶେଷରେ ବିରକ୍ତ ହୋଇ କହିଲେ ଜେଜେ ଆପଣ ବେକାର ଏହି ବହି ସବୁ ପଢୁଛନ୍ତି, କିଛି ଲାଭ ନାହିଁ, ବେକାର ପରିଶ୍ରମ, ସମୟ ନଷ୍ଟ । ଜେଜେ କହିଲେ, ଗୋଟିଏ ମିନିଟ ଚିନ୍ତା କରି କହ ଲାଭ ହୋଇଛି କି କ୍ଷତି ହୋଇଛି । ନାତି ଏଥର ଆଖି ବୁଜି ଚିନ୍ତା କଲେ, କହିଲେ କିଛି ନାହିଁ , ବେକାର ପରିଶ୍ରମ, ଝାଳ ନାଳ ଆଣ୍ଠିଏ ହୋଇଗଲିଣି ।
ଜେଜେ କହିଲେ, ଧନରେ ବାରମ୍ବାର ଦୌଡ଼ିବା ଦ୍ୱାରା ଅପରିଷ୍କାର ରକ୍ତ ଝାଳ ଆକାରରେ ବାହାରି ଯାଇଛି, ଯାହା ତୋ ଶରୀର ପାଇଁ ଆବଶ୍ୟକ ନଥିଲା । ଜେଜେଙ୍କ କଥା ନାତି ମନକୁ ପାଇଲା । ଜେଜେ କହିଲେ, ସେତିକି ନୁହେଁ; ଆହୁରି ଲାଭ ହୋଇଛି, ପୁଣି ଚିନ୍ତା କରେ । ନାତି ଚିନ୍ତାମଗ୍ନ ଥିବା ବେଳେ ଆଖି ପଡ଼ିଲା ବାସ୍କେଟ ଉପରେ । ଦେଖିଲା ବାସ୍କେଟଟି ବାରଂବାର ଧୋଇ ହୋଇ ସଫା ହୋଇଯାଇଛି, ଯାହା ଅନ୍ୟ କାମରେ ଲାଗିପାରିବ । ନାତି ଏଥର ଜେଜେଙ୍କ ଗୋଡ଼ ତଳେ ମୁଣ୍ଡିଆ ମାରି କହିଲା ଜେଜେ ଆପଣ ଆଖି ଖୋଲି ଦେଲେ ।
ଜେଜେ କହିଲେ ବାରମ୍ବାର ଧର୍ମ ପୁସ୍ତକ ପଢ଼ିଲେ ଆମ ମନରୁ ମଇଳା ଦୂର ହୋଇଯାଏ । ଆମର ଚିନ୍ତା ଶକ୍ତିର ବିକାଶ ଘଟେ, କାର୍ଯ୍ୟ ଶୈଳୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼େ । କାର୍ଯ୍ୟ କ୍ଷେତ୍ରକୁ ଯିବା ପୂର୍ବରୁ ସକାଳର ପ୍ରାର୍ଥନା ଦ୍ୱାରା ସବୁ କିଛି ଶୃଙ୍ଖଳିତ ହୋଇଯାଏ, ସର୍ବୋପରି ଆମର ଦିନ ଭଲରେ କଟେ ।