ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ କମିଶନଙ୍କ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ

ଭୁବନେଶ୍ୱର: ସଂକ୍ରମଣ ସଂକଟରେ କେମିତି ହେବ ପଞ୍ଚାୟତ ନିର୍ବାଚନ ? ଗାଁ ଭୋଟ ପାଇଁ ସବୁ ପ୍ରକ୍ରିୟା ଶେଷ ହୋଇଥିବାବେଳେ ବାଟ ଓଗାଳଛି କରୋନା । ଏଥିପାଇଁ ଚିନ୍ତାରେ ପଡିଯାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ତାରିଖ ଘୋଷଣା ପାଇଁ ଆଗୁଆ ରାଜ୍ୟରେ କରୋନା ସ୍ଥିତି କିପରି ଅଛି, ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ଟିକାକରଣ କେତେ ବାଟରେ ପହଞ୍ଚିଛି, ଏସବୁ ଅପଡେଟ ନେଇଛନ୍ତି ଆୟୋଗ । ମତଦାତାଙ୍କଠାରୁ ଆରମ୍ଭ କରି ପ୍ରାର୍ଥୀ ସମସ୍ତଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଆୟୋଗ ।

କେବେ ହେବ ପଞ୍ଚାୟତ ନିର୍ବାଚନ ? ଆୟୋଗ କେବେ ଜାରି କରିବେ ବିଜ୍ଞପ୍ତି ? ସଂରକ୍ଷଣ ତାଲିକା, ଭୋଟର ଲିଷ୍ଟ, ନିର୍ବାଚନ ସାମଗ୍ରୀ ଧରି ବସିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ହେଲେ ତାରିଖ ଘୋଷଣା ନେଇ ଚିନ୍ତାରେ ପଡିଯାଇଛନ୍ତି । ବିଜ୍ଞପ୍ତି ପୂର୍ବରୁ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ରାଜ୍ୟର କରୋନା ସଂକ୍ରମଣ ସ୍ଥିତି, ମୁକାବିଲା ପାଇଁ ପଦକ୍ଷେପ ଏବଂ ଟୀକାକରଣ ସ୍ଥିତି ବାବଦରେ ରାଜ୍ୟ ନିର୍ବାଚନ ଆୟୋଗ ସରକାରଙ୍କଠାରୁ ନେଇଛନ୍ତି ଅପଡେଟ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ବିଭାଗ ଏସିଏସ୍ ଆର୍.କେ.ଶର୍ମା ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ହେଲଥ ୱାର୍କର,ଫ୍ରଣ୍ଟ ଲାଇନ ୱାର୍କରଙ୍କୁ ବୁଷ୍ଟର୍ ଡୋଜ ଦିଆଯିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଏସ୍ଆରସି ସୂଚନା ଦେଇଛନ୍ତି ।

ଆୟୋଗଙ୍କ ପାଇଁ ସୁରକ୍ଷା ସବୁଠାରୁ ବଡ଼ ପ୍ରାଥମିକତା ରହିଛି । ମତଦାତାଙ୍କ ଠାରୁ ଆରମ୍ଭ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପ୍ରାର୍ଥୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ନିର୍ବାଚନ ପରିଚାଳନାରେ ନିୟୋଜିତ ହେବାକୁ ଥିବା କମର୍ଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗ ଫୋକସ୍ କରିଛନ୍ତି । ସରକାରଙ୍କ ସହ କରୋନା ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଏହାକୁ ଆଧାର କରି ନିର୍ବାଚନ ନେଇ ନିଷ୍ପତି ନିଆଯିବ ବୋଲି କମିଶନର କହିଛନ୍ତି । ସେଥିପାଇଁ ୧୦ ତାରିଖରେ ସର୍ବଦଳୀୟ ବୈଠକ ଏବଂ ୧୨ ତାରିଖରେ ଅଫିସର ସ୍ତରୀୟ ବୈଠକରେ ଆୟୋଗ ବିସ୍ତୃତ ଆଲୋଚନା କରିବେ ।

ଏପଟେ ୩୦ ଜିଲ୍ଲା ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରିଛି ପଞ୍ଚାୟତିରାଜ ବିଭାଗ । ୧୫ଟି ଜିଲ୍ଲାରେ ମହିଳାମାନେ ସଭାପତି ପଦ ଅଳଙ୍କୃତ କରିବେ । ୧୦ ଟି ଜିଲ୍ଲା ଅଣ ସଂରକ୍ଷିତ ଥିବା ବେଳେ ୫ଟି ଅନୁସୂଚିତ ଜାତି, ୭ଟି ଅନୁସୂଚିତ ଜନଜାତି ଏବଂ କେବଳ ମହିଳାଙ୍କ ପାଇଁ ୮ଟି ଜିଲ୍ଲା ପରିଷଦ ସଭାପତି ପଦ ସଂରକ୍ଷିତ ରହିଛି ।

Leave a Reply