ମିଲେଟ୍ ମିଶନର ସଫଳତା ପରେ ନୂଆ ମିଶନ, ଦେଶ ବିଦେଶରେ ନୂଆ ପରିଚୟ ପାଇବ ଓଡ଼ିଶା ମସଲା

ଭୁବନେଶ୍ୱର: ପ୍ୟାରିସ୍‌, ଲଣ୍ଡନ, ସିଙ୍ଗାପୁରରେ ଓଡ଼ିଶାର ମା’ମାନେ ପୁଣି ନୂଆ ପରିଚୟ ପାଇବେ । ମିଲେଟ୍‌ ମିଶନର ସଫଳତା ପରେ ରାଜ୍ୟ ସରକାର ମସଲା ମିଶନ ଆରମ୍ଭ କରିଛନ୍ତି । ମସଲା ମିଶନ ପାଇଁ ଗତ ବର୍ଷ ୮୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା । ଏଥର ୧୮୫ କୋଟିର ବ୍ୟବସ୍ଥା କରାଯାଇଛି । ଉଦ୍ଦେଶ୍ୟ ଫସଲ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ସହ କୃଷକଙ୍କ ଆୟ ବୃଦ୍ଧି । କନ୍ଧମାଳର ହଳଦୀ ହେଉ କି ବୌଦ୍ଧର ଅଦା, ଏସବୁର ରାଜ୍ୟ ତଥା ଦେଶ ବାହାରେ ସ୍ବତନ୍ତ୍ର ଚାହିଦା ରହିଛି । ମସଲା ମିଶନକୁ ସଫଳ ରୂପ ଦେବା ସହ ଧାନ, କପା, ମୁଗ, ବିରି, ମାଣ୍ଡିଆ ଉତ୍ପାଦନ ବୃଦ୍ଧି ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ଏହି ମିଶନରେ ମିଶନ ଶକ୍ତି ମା’ମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସାମିଲ କରାଯିବ । ସରକାରଙ୍କ ଏହି ପ୍ରୟାସକୁ ମସଲା ଉଦ୍ୟୋଗୀ ସ୍ବାଗତ କରିଛନ୍ତି ।

ମିଶନ ଶକ୍ତିର ମା’ମାନେ ଏବେ ଦେଶ ବାହାରେ ମାଣ୍ଡିଆରୁ ପ୍ରସ୍ତୁତ ଦ୍ରବ୍ୟ ନେଇ ଖୁବ୍ ପରିଚୟ ପାଇଲେଣି । ଏବେ ମସଲା ମିଶନ ଆଉ ଏକ ନୂଆ ପରିଚୟ ଦେବ । ଗାଁ ଗାଁରେ ଲଘୁ ମସଲା ଉଦ୍ୟୋଗୀଙ୍କ ଭୂମିକା ନେବାକୁ ଯାଉଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ବଡ଼ ବଡ଼ ଫ୍ୟାକ୍ଟ୍ରିରେ ମସଲା ପାଇଁ ବ୍ୟବହୃତ କଞ୍ଚାମାଲକୁ ପ୍ରସେସ୍ କରି ଦେବାର ସୁଯୋଗ ମିଳିବ । ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ମିଶନ ଶକ୍ତି ମା’ମାନଙ୍କୁ ଅଧିକ ବଳ ଦେଇଛି । ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମସଲା ମିଶନ ନେଇ ସୂଚନା ଦେଇଛନ୍ତି । ମିଶନ ଶକ୍ତି ସଂଘ ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି ।

ଏଥର ୩୦ ଜିଲ୍ଲାର ୧୭୭ଟି ବ୍ଲକକୁ ମିଲେଟ୍‌ ମିଶନର ସମ୍ପ୍ରସାରଣ ସାଙ୍ଗକୁ ୯ଟି ଜିଲ୍ଲାର ୫୦ଟି ବ୍ଲକରେ ପଣସ ମିଶନ ଆରମ୍ଭ ହେଉଛି । ଏହା ସହ ଫୁଲ ମିଶନ, ଛତୁ ମିଶନ ବି କାର୍ଯ୍ୟକାରୀ ହେଉଛି । ଏବେ ମସଲା ମିଶନ, ମିଶନ ଶକ୍ତିକୁ ନୂଆ ପରିଚୟ ଦେବା ସହ ଓଡ଼ିଶାର ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ଦେଶ ବାହାରେ ବଢ଼ିବ ।