ରାଜଧାନୀ ଶିଶୁ ଅପହରଣ ଘଟଣା: ଅପହରଣକାରୀଙ୍କୁ ଧରିବାକୁ ଗଠନ ହେଲା ସ୍ପେଶାଲ ଟିମ୍

ଭୁବନେଶ୍ବର: ଅପହରଣ ନାଟକର ଖୁବଶୀଘ୍ର କ୍ଳାଇମାକ୍ସ । ମାଆ କୋଳରୁ ଛୁଆକୁ ନେଇଯିବା ପରେ ରାଜଧାନୀରେ ଚାଞ୍ଚଲ୍ୟ । ନାଁ ଜୟନ୍ତୀ ମଲ୍ଲିକ । ଶୈଳଶ୍ରୀ ବିହାର ସର୍ଟ ଷ୍ଟେ ହୋମରେ ରୁହନ୍ତି । ଦୃଷ୍ଟିବାଧିତ ହୋଇଥିବାରୁ ରାମ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରି ଚଳନ୍ତି । ସବୁଦିନ ଭଳି ରବିବାର ରାତିରେ ଆଶ୍ରୟସ୍ଥଳୀକୁ ଯିବାକୁ ବାହାରିଥିବା ବେଳେ ହଠାତ ଆସିଥିଲା କାଳ ବୈଶାଖୀ । ୬ ବର୍ଷର ଝିଅ ଓ ପାଖରେ ଥିବା ଦେଢ଼ ବର୍ଷର ପୁଅକୁ ଧରି ମନ୍ଦିର ନିକଟରେ ଆଶ୍ରୟ ନେଉଥିବା ବେଳେ ହଠାତ କେଉଁଆଡ଼େ ଚାଲିଯାଇଥିଲା କୁନିପୁଅ । ଯାହାକୁ ନେଇ ରାତି ଅଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ ମାଆ । ଭଲକରି ଦେଖନ୍ତୁ ଏହି ଏତଲା । ଦୁଃଖର ସହ କ୍ୟାମେରା ଆଗରେ କାନ୍ଦି କାନ୍ଦି ପିଲାର ଫେରି ଆସିବା ପାଇଁ ପ୍ରଭୁ ରାମଙ୍କ ପାଖରେ ସେ ପ୍ରାର୍ଥନା କରିଥିବା କହିଛନ୍ତି । ସେପଟେ ଏତଲା ପାଇବା କ୍ଷଣି ତତ୍ପର ହୋଇଉଠିଛି କମିଶନରେଟ ପୋଲିସ । ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ଟିମ ୪ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି । ଛକ ବଜାରରେ ଥିବା ସିସିଟିଭି ଯାଞ୍ଚ ଚାଲିଛି । ମନ୍ଦିର କର୍ତ୍ତୃପକ୍ଷଙ୍କୁ ପଚରାଉଚରା ହୋଇଛି ।
ସେପଟେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ତଲାସୀ କାର୍ଯ୍ୟ ଜାରି ରହିଛି । ପୁଅଟି ନିଖୋଜ ଥିବା ବେଳେ ଝିଅଟିକୁ କିଭଳି ଥଇଥାନ କରାଯିବ ସେ ନେଇ ଶିଶୁ କଲ୍ୟାଣ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମହିଳାଙ୍କ ପକ୍ଷରୁ ଯେଉଁ ଅପହରଣ ଓ ଅଙ୍ଗତସ୍କରୀ ଭଳି ସଙ୍ଗିନ ଓ ସାଙ୍ଘାତିକ ଅଭିଯୋଗ ହୋଇଛି, ସେ ନେଇ ମଧ୍ୟ ପୋଲିସ ସହ ଆଲୋଚନା ସରିଛି । ସେପଟେ ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ କ୍ଲୁ ମିଳିଥିବା କହିଛନ୍ତି ଡିସିପି । ଥାନା ଗୁଡିକୁ ମଧ୍ୟ ପିଲାର ଫଟୋ ଦିଆଯାଇଛି । ତୁରନ୍ତ ପୁରା ଘଟଣାର ଖୁଲାସା ହେବ ବୋଲି ସୂଚନା ଦେଇଛନ୍ତି ଜଗମୋହନ। କିଛିଦିନ ତଳେ ବିଧାନସଭାରୁ ମିଳିଥିବା ତଥ୍ୟ ମୁତାବକ ଗତ ୮ ମାସରେ ୧୩ ହଜାରରୁ ଅଧିକ ଜଣ ନିଖୋଜ ହୋଇଛନ୍ତି । ସେମାନଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଶିଶୁ । ଏସବୁ ଭିତରେ ରାଜଧାନୀରୁ ଶିଶୁ ଅପହରଣ ଘଟଣାକୁ ଗୁରୁତର ସହ ନେଇଛି ପୋଲିସ ।