ନିଶା କାରବାର ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ: ନେତୃତ୍ୱ ନେବେ ପୂର୍ବତନ ଡିଜିପି ଅଭୟ

1 min read

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା ନିଶା କାରବାର ଉପରେ ଲାଗିବ ରୋକ । ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଟାସ୍କ ଫୋର୍ସର ନେତୃତ୍ୱ ନେବେ ପୂର୍ବତନ ଡିଜିପି ଅଭୟ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି । ବିଭାଗୀୟ ସମନ୍ୱୟ କମିଟିର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ । ଏନେଇ ଗୃହ ବିଭାଗ ପକ୍ଷରୁ ଏକ ସଂକଳ୍ପ ଜାରି ହୋଇଛି । ଜାତୀୟ ନାର୍କୋଟିକ୍ସ ଓ ଡ୍ରଗ୍ ନୀତି ଆଧାରରରେ ଟାସ୍କଫୋର୍ସ ଓଡ଼ିଶା ପାଇଁ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ କରିବ । ଜାତିସଂଘ ଦ୍ୱାରା ପ୍ରସ୍ତୁତ ବିଶ୍ୱ ଡ୍ରଗ ରିପୋର୍ଟ ୨୦୨୧ ଅନୁଯାୟୀ ୨୦୧୯ରେ ବିଶ୍ୱର ପ୍ରାୟ ୫ ଲକ୍ଷ ଲୋକ ଡ୍ରଗ୍ସ ସେବନରୁ ମୃତ୍ୟୁବରଣ କରୁଛନ୍ତି ।

୧୮ ନିୟୁତ ଲୋକ ନିୟମିତ ଡ୍ରଗ୍ସ ସେବନରୁ ଅସୁସ୍ଥ ହେଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ବିଶ୍ୱରେ ୨୭୫ ନିୟୁତ ଲୋକ ଡ୍ରଗ୍ସ ସେବନ କରୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଏହି ହାରରେ ୨୨ ପ୍ରତିଶତ ବୃଦ୍ଧି ହୋଇଛି । ଭାରତରେ ମଧ୍ୟରେ ଗତ କିଛି ବର୍ଷ ମଧ୍ୟରେ ଲୋକଙ୍କ ମଧ୍ୟରେ ଡ୍ରଗ୍ସ ସେବନର ହାର ଉଦବେଗଜନକ ଭାବେ ବଢିଛି । ଏହି ଦୃଷ୍ଟିରୁ ଓଡିଶାରେ ଡ୍ରଗ୍ସ ସେବନ ଓ ବେଆଇନ ଚାଲାଣକୁ ମୂଳରୁ ନିପାତ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପୂର୍ବତନ ଡିଜିପି ଅଭୟଙ୍କ ନେତୃତ୍ୱରେ ଗଠନ କରାଯାଇଛି ସ୍ୱତନ୍ତ୍ର ଟାକ୍ସ ଫୋର୍ସ ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସମନ୍ୱୟ କମିଟିରେ ଡିଜିପି, ଗୃହ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ, ଅବକାରୀ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ଉଚ୍ଚଶିକ୍ଷା, ସୂଚନା ଓ ଲୋକ ସମ୍ପର୍କ ଏବଂ ସୂଚନା ଓ ପ୍ରଯୁକ୍ତି ସଚିବ ସଦସ୍ୟ ରହିବେ । ଡିଜିପିଙ୍କ ସମେତ ଅନ୍ୟ ବିଭାଗୀୟ ସଚିବମାନେ ଟାକ୍ସ ଫୋର୍ସର ମଧ୍ୟ ସଦସ୍ୟ ରହିବେ । ବେଆଇନ ଡ୍ରଗ୍ସ ଚାଲାଣକୁ ରୋକିବା ପାଇଁ ଟାକ୍ସ ଫୋର୍ସ ଏକାଧିକ ସବ-କମିଟି ମଧ୍ୟ ଗଠନ କରିପାରିବେ ।

ସାଧାରଣରେ ସଚେତନତା ସୃଷ୍ଟି ସାଙ୍ଗକୁ ଗୋଷ୍ଠିଗତ ସମନ୍ୱୟ ଜରିଆରେ ଡ୍ରଗ୍ସ ସେବନ ଉପରେ ନିୟନ୍ତ୍ରଣ ଅଣାଯିବ । ସମ୍ବେଦନଶୀଳ ଗୋଷ୍ଠୀକୁ ଚିହ୍ନଟ ସାଙ୍ଗକୁ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ଡ୍ରଗ୍ସ ସେବନକାରୀଙ୍କ ଚିକିତ୍ସା ସାଙ୍ଗକୁ ସେମାନଙ୍କ ଥଇଥାନ ଦିଗରେ କାର୍ଯ୍ୟ କରିବ ଏହି ଟାକ୍ସ ଫୋର୍ସ । ବିଭିନ୍ନ ସ୍ଥାନରେ ହେଉଥିବା ଡ୍ରଗ୍ସ ଚାଲାଣକୁ କିଭଳି ରୋକାଯାଇପାରିବ ଏବଂ ଆର୍ଥିକ ଦଣ୍ଡାଦେଶ ସାଙ୍ଗକୁ ସମ୍ପତ୍ତି ବ୍ୟାଜ୍ୟାପି ଦିଗରେ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ହେବ ।

Leave a Reply