ମୁଣ୍ଡକାର କାଳ କୋଠା: ଅନୁକମ୍ପାର ଅର୍ଥ ଏବଂ ସମବେଦନାର ଶବ୍ଦ ଏଠି ସବୁ ତୁଛ

ନନ୍ଦିଘୋଷ ବ୍ୟୁରୋ: ମୃତ୍ୟୁର ନିଆଁ ଏବଂ ପ୍ରଚଣ୍ଡ ଧୂଆଁ ଭିତରେ ଛଟପଟ ହେଉଥିଲେ ସଭିଏଁ । ସବୁପଟୁ ବନ୍ଦ ହୋଇଯାଇଥିଲା ବଞ୍ଚିବାର ବାଟ । ଜୀବନ ଟିକେ ପାଇଁ ହାତପାତି ଗୁହାରୀ କରୁଥିଲେ ଫସି ରହିଥିବା ଲୋକେ । ଆଉ ଏହାରି ଭିତରେ ଫ୍ୟାକ୍ଟ୍ରି ମାଲିକ ବୃଦ୍ଧ ଅମରାନାଥ ଗୋୟେଲ ମଧ୍ୟ ବାକି ଆୟୁଷର ଭିକ୍ଷା ମାଗୁଥିଲେ । କିନ୍ତୁ ଏହି କାଳ କୋଠାର ନିଆଁରେ ଜଳି ଯାଇଥିଲେ ସଭିଏଁ । କିଏ ନିଆଁରୁ ବର୍ତ୍ତିବା ପାଇଁ ତଳକୁ ଡେଇଁ ପଡୁଥିଲା ତ, ଆଇ କିଏ ଚାହୁଁଥିଲେ ମଧ୍ୟ ରକ୍ତମୁଖା ଅଗ୍ନିର ଝାସରୁ ଯାଇ ପାରୁନଥିଲା ।

ସମୟ ଅପରାହ୍ନ ୪ଟା ୪୫ । ସବୁକିଛି ଠିକଠାକ୍ ଚାଲିଥିଲା । ଏମିତିକି ବିଲ୍ଡିଂରେ ଚାଲିଥିଲା ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ । କୋଠାର ପ୍ରଥମ ବିଲ୍ଡିଂରେ ଫ୍ୟାକ୍ଟ୍ରି ଚାଲିଥିଲାବେଳେ, ଦ୍ୱିତୀୟ ଫ୍ଲୋର ରେ ରହିଥିଲା ଗୋଦାମ ଗୃହ । ତୃତୀୟ ମହଲାରେ ଲ୍ୟାବ ରହିଥିଲା । ଯେମିତି ସବୁଦିନ କର୍ମଚାରୀ କାର୍ଯ୍ୟ କରିଥାନ୍ତି । ଶୁକ୍ରବାର ମଧ୍ୟ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ କମ୍ପାନୀର କର୍ମଚାରୀ । କମ୍ପାନୀ ମାଲିକ ବରୁଣ ଏବଂ ହରିଶ ଗୋୟେଲଙ୍କ ପିତା ଅମରନାଥଙ୍କର ରହିଥିଲା ପ୍ରବଚନ କାର୍ଯ୍ୟକ୍ରମ । ପ୍ରବଚନ ଥିବାରୁ ସେଦିନ ଉପସ୍ଥିତ ରହିଥିଲେ ଅଧିକାଂଶ ଲୋକେ । ଆଉ ଏହି ସମୟରେ ବିଲ୍ଡିଂରେ ଲାଗିଥିଲା ଭୟାବହ ଅଗ୍ନିକାଣ୍ଡ ।

ଶେଷରେ ସତ ଚେଷ୍ଟା ସତ୍ୱେ ବିଫଳ ହୋଇଥିଲା ଜୀବନ । ସଫଳ ହୋଇଥିଲା ମୃତ୍ୟୁ । ୧୭ଟି ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳର ଅଦ୍ୟମ ପରିଶ୍ରମ ପରେ ବି ଜୀବନ୍ତ ଜଳିଗଲେ ୨୭ ଜଣ । ବ୍ୟସ୍ତ ବହୁଳ ରାଜଧାନୀର ମୁଣ୍ଡକା ଅଞ୍ଚଳର ଏହି କାଳକୋଠା କେତେ ଯେ ଜୀବନ ନେଇଗଲା ଆଉ କେତେ ଯେ କଷ୍ଟ ଦେଇଗଲା । ତାହାର ଭରଣା ନା କିଏ କରିଛି, ନା କିଏ କରିପାରିବ । ଅନୁକମ୍ପାର ଅର୍ଥ ଏବଂ ସମବେଦନାର ଶବ୍ଦ ଏଠି ସବୁ ତୁଛ । ବେଆଇନ ନିର୍ମିତ କୋଠାରୁ ଠିକାଦାର ଲାଭ ପାଇଲା, ଦଲାଲ ଭାଗ ନେଲା । କିନ୍ତୁ ପେଟ ପାଇଁ ଶ୍ରମ ବିକୁଥିବା ସାଧାରଣ ଲୋକଟା ଶେଷରେ ଜୀବନ୍ତ ସହିଦ ହୋଇଗଲା ।

ମିଳିଥିବା ସୂଚନା ମୁତାବକ ଫ୍ୟାକ୍ଟି ମାଲିକ ମାଲିକ ବରୁଣ ଏବଂ ହରିଶ ଗୋୟେଲଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଥିବାବେଳେ କୋଠାର ମାଲିକ ମନୀଷ ଲାକଡ଼ା ଏବେ ମଧ୍ୟ ନିଖୋଜ ରହିଛି  । ପୋଲିସ ମାଲିକକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି  । ସେପଟେ ଏବେ ମଧ୍ୟ ବିଲ୍ଡିଂରେ ଚାଲିଛି ସର୍ଚ୍ଚ ଅପରେସନ  ।