ବାପା ହେବ ତ ଏମିତି, ୨୨ ବର୍ଷ ଧରି ଚାରି ଭିନ୍ନକ୍ଷମ ଶିଶୁଙ୍କୁ ସେବା ଯତ୍ନ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା

1 min read

ନନ୍ଦିଘୋଷ ବ୍ୟୁରୋ: ପିତା ଶବ୍ଦଟି ଶୁଣିଲେ ଅଖି ଆଗରେ ଆଙ୍କି ହୋଇଯାଏ ପରିଶ୍ରମ, ପୁଅ ଝିଅ ଓ ପରିବାର ଖୁସି ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଥିବା ମଣିଷଟିର ଚେହେରା । ଜୀବନ ସାରା ହାଡ଼ ଭଙ୍ଗା ପରିଶ୍ରମ କରି ପରିବାରର ପ୍ରତି ସଦସ୍ୟଙ୍କ ମୁହଁରେ ହସ ଦେଖି ନିଜ ଦୁଃଖକୁ ଭୁଲି ଯାଉଥିବା ମଣିଷଟି ହେଉଛି ପିତା । କିପରେ ଜଣେ ବାପା ନିଜର ସନ୍ତାନ ପାଇଁ ନିଜର ଜୀବନକୁ ବାଜି ଲଗାଇ ଲାଳନ ପାଳନ, ଶିକ୍ଷା, ସ୍ୱାସ୍ଥ୍ୟ, ଭଳି ସମସ୍ତ ସୁବିଧା କିଭଳି ପାଇବେ ସେଥିପାଇଁ ଅହରହ ପରିଶ୍ରମ କରେ ପିତୃ ଦିବସରେ ତାହାର ଏକ ନିଛକ ଉଦାହରଣ ଦେଖିବା ମିଳିଛି ମାଲକାନଗିରି ଜିଲ୍ଲାରେ।

ମାଲକାନଗିରି ଜିଲ୍ଲl ସଦର ବ୍ଲକ ଅନ୍ତର୍ଗତ ତଣ୍ଡିକି ଗାଁର ରାମକୃଷ୍ଣ ଦଣ୍ଡସେନା । ସେ ୨୨ ବର୍ଷ ଧରି ନିଜର ଚାରି ଭିନ୍ନକ୍ଷମ ଶିଶୁଙ୍କୁ ସେବା ଯତ୍ନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପତ୍ନୀ ବାସନ୍ତୀ ଦଣ୍ଡସେନା ରକ୍ତ ଶିକୁଳି ରୋଗରେ ପୀଡ଼ିତ । ରାମକୃଷ୍ଣଙ୍କ ସ୍ତ୍ରୀ ରୋଗାଗ୍ରସ୍ତ ହୋଇଥିବା ବେଳେ ରାମକୃଷ୍ଣ ଏହି ଭିନ୍ନକ୍ଷମ ପିଲାଙ୍କ ସେବାରେ ଅବହେଳା କରନ୍ତିନାହିଁ । ସକାଳୁ ଉଠି ସମସ୍ତଙ୍କୁ ଗାଧୁଆ ପାଧୁଆ ସହ ଭିନ୍ନକ୍ଷମ ପିଲାଙ୍କୁ ଖୁଆଇଦେଇ ନିତ୍ୟକର୍ମ କରିଥାନ୍ତି । ପତ୍ନୀ ବାସନ୍ତୀ ଏଥିରେ ରାମକୃଷ୍ଣଙ୍କୁ ସହଯୋଗ କରିଥାନ୍ତି । ୨୨ ବର୍ଷ ପୂର୍ବେ ପ୍ରଥମେ ଭିନ୍ନ କ୍ଷମ ଝିଅ ମମତାକୁ ଜନ୍ମ ଦେଇଥିଲେ ବାସନ୍ତୀ । ଜନ୍ମରୁ ଦୃଷ୍ଟିହୀନ ସହିତ ହାତଗୋଡ ସମ୍ପୂର୍ଣ୍ଣ ଅଚଳ । ଏହାପରେ ଆଉ ଏକ କନ୍ୟା ସହିତ ଆହୁରି ୨ଜଣ ଜମଜ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ତାଙ୍କର ମଧ୍ୟ ସମଦଶା । ଦୁଇ ପୁତ୍ର ଦୃଷ୍ଟିହୀନ ହୋଇଥିବା ବେଳେ ଶରୀର ସମ୍ପୂର୍ଣ୍ଣ ଅଚଳ ।

ଛୋଟିଆ ଟିଣ ଛପର ଘରେ ମା’ ସହିତ ରାମକୃଷ୍ଣ ଦଣ୍ଡସେନାଙ୍କ ପରିବାର ରହିଆସୁଛନ୍ତି ।  ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ଘର ମିଳିପାରିନାହିଁ । ସରକାରୀ ସହାୟତା କହିଲେ ଭିନ୍ନକ୍ଷମ ପିଲାମାନଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ମିଳୁଛି । ଚାଉଳ ପ୍ରଦାନ କାର୍ଯ୍ୟରେ ନିୟୋଜିତ ରହି ରାମକୃଷ୍ଣ ୫ ହଜାର ଟଙ୍କା ଦରମା ପାଉଛନ୍ତି । ଏହି ସ୍ପଳ୍ପ ରୋଜଗାରରେ ଚାରି ଭିନ୍ନ କ୍ଷମ ଶିଶୁ ଓ ରୋଗାଗ୍ରସ୍ତ ପତ୍ନୀଙ୍କ ଚିକିତ୍ସା ସହିତ ପରିବାର ଚଳାଇବା ରାମକୃଷ୍ଣଙ୍କ ପାଇଁ କଷ୍ଟକର ହୋଇପଡୁଛି । ଘର ସହିତ ପାଇଖାନା ଟିଏ ଯୋଗାଇ ଦେବାକୁ ସରକାରଙ୍କୁ ଗୁହାରି କରିଛନ୍ତି ରାମକୃଷ୍ଣ ।

୪ ଜଣ ଭିନ୍ନକ୍ଷମ ପିଲାଙ୍କ ଲାଳନପାଳନରେ କୌଣସି ଅବହେଳା କରିନାହାନ୍ତି ରାମକୃଷ୍ଣଙ୍କ  । ପିତୃତ୍ୱ ଦିବସରେ ଏଭଳି ଜଣେ ପିତାଙ୍କୁ ଯେତେ ପ୍ରସଂଶା କଲେ ମଧ୍ୟ କମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।