ଆଜି ସଂସଦର ଅମୃତ କାଳ ଅଧିବେଶନର ଦ୍ବିତୀୟ ଦିନ, ନୂଆ ସଂସଦ ଭବନରେ ଚାଲିବ ଅଧିବେଶନ

ନୂଆଦିଲ୍ଲୀ: ଆଜି ସଂସଦର ଅମୃତ କାଳ ଅଧିବେଶନର ଦ୍ବିତୀୟ ଦିନ । ପୁରୁଣା ସଂସଦ ଭବନ ବଦଳରେ ନୂଆ ସଂସଦ ଭବନରେ ଚାଲିବ ଅଧିବେଶନ । ଗତକାଲି ଅଧିବେଶନର ପ୍ରଥମ ଦିନରେ ଗଣତନ୍ତ୍ରର ଆଭିଜାତ୍ୟ ସମ୍ପର୍କରେ ଆଲୋଚନା ହୋଇଥିବାବେଳେ ସରକାରୀ ଓ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ କରିଥିଲେ କଟାକ୍ଷ । ୫ଦିନିଆ ଅମୃତକାଳ ଅଧିବେଶନରେ ୮ଟି ବିଲ୍ ସମ୍ପର୍କରେ ଆଲୋଚନା ହେବ ।

୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ସେହିପରି ଜାତି ଗଣନା, ମଣିପୁର ହିଂସା, ସାମ୍ପ୍ରଦାୟିକ ହିଂସା, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।