ଶ୍ରୀମନ୍ଦିର ପାଇଁ ଗଠନ ହେବ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ; ପୂର୍ବ ସରକାରଙ୍କ ନିଷତ୍ତିକୁ କାର୍ଯ୍ୟକାରୀ କରିବେ ମୋହନ ସରକାର

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରେ ଦିନକୁ ଦିନ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ନିୟନ୍ତ୍ରଣ ଓ ସୁରକ୍ଷା ନେଇ ସ୍ୱତ୍ରନ୍ତ ସୁରକ୍ଷା ବାଟାଲିୟନର ଆବଶ୍ୟକତା ରହିଛି । ଯାହାକୁ ନେଇ ପୂର୍ବ ସରକାର ନିଷ୍ପତ୍ତି ନେଇ ଏହାକୁ କାର୍ଯ୍ୟକାରୀ ପାଇଁ ଅନୁମୋଦନ କରିଥିଲେ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଉଛି । ପୁରୀ ଏସପି ଏନେଇ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି ।

ଭିଡ଼ ନିୟନ୍ତ୍ରଣ କରିବ ସ୍ବତନ୍ତ୍ର ବାଟାଲିୟନ । ଦର୍ଶନ ବ୍ଯବସ୍ଥାରେ ଆସିବ ସୁଧାର । ଶ୍ରୀମନ୍ଦିରକୁ ଜଗିବେ ସ୍ପେଶାଲ ସ୍କ୍ବାଡ । ପୁରୀ ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଓ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବ୍ୟାପକ ମାତ୍ରାରେ ସୁରକ୍ଷା କର୍ମୀ ନିୟୋଜିତ ହେବାର ଆବଶ୍ୟକତା ରହିଛି । ଆବଶ୍ୟକତାକୁ ନେଇ ପୂର୍ବ ନବୀନ ସରକାର ପୁରୀ ଶ୍ରୀମନ୍ଦିରରେ ଏକ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରିବାକୁ ଅନୁମୋଦନ କରିଥିଲେ । ବାଟାଲିୟନର ଆବଶ୍ୟକତା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୋଧ ରହିଛି । ଏହାର କାର୍ଯ୍ୟକାରିତା ପାଇଁ ବର୍ତ୍ତମାନର ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ପ୍ରାୟ ୧ ହଜାର ସୁରକ୍ଷା କର୍ମୀକୁ ନେଇ ସ୍ୱତନ୍ତ୍ର ବାଟାଲିୟନ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀମନ୍ଦିର ଭିତରେ ବାହାରେ ତଥା ପରିକ୍ରମା ପ୍ରକଳ୍ପରେ ଏହି ବାଟାଲିୟନ ନିୟୋଜିତ ହେବେ । ଶ୍ରୀମନ୍ଦିର ସୁରକ୍ଷା ନେଇ ଜାତୀୟ ନିରାପତ୍ତା ସଂସ୍ଥା ସହ ଗୁଇନ୍ଦା ବିଭାଗର ପରାମର୍ଶକୁ ନଜରରେ ରଖି ବାଟାଲିୟନ ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୂର୍ଣ୍ଣ କରିବା ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବାକୁ ଲକ୍ଷ୍ଯ ରଖାଯାଇଛି । ଏ ନେଇ ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ବାଟାଲିୟନ ଗଠନ ନେଇ ସ୍ୱତ୍ରନ୍ତ ଖସଡ଼ା ପ୍ରସ୍ତୁତ କରାଯାଉଥିବା ପୁରୀ ଏସପି କହିଛନ୍ତି ।

ସ୍ୱତନ୍ତ୍ର ବାଟାଲିୟନ ଗଠନ ଫଳରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ ହେବା ସହ ଦର୍ଶନ ବ୍ଯବସ୍ଥା ସୃଙ୍ଖଳିତ ହେବ ବୋଲି ଆଶା କରାଯାଉଛି ।