ଆଜି ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ମଧ୍ୟାହ୍ନଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯିବା ପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚଉଦୋଳରେ ଚାରି ଆଶ୍ରମକୁ ବିଜେ କରିବେ। ସେଠାରେ ପନ୍ତିଭୋଗ ଓ ବନ୍ଦାପନା ନୀତି ସରିବା ପରେ ପଶ୍ଚିମଦ୍ବାର ଦେଇ ପୁନର୍ବାର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ।

ସେପଟେ ବଡସିଂହାର ଭୋଗ ସରିଲେ ରତ୍ନସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡି ଖେଳ ହେବ । ଶ୍ରୀମନ୍ଦିରର ପରମ୍ପରାରେ ଏହା ଦ୍ୟୁତକ୍ରୀଡା ନାମରେ ଅଭିହିତ । ସର୍ତ୍ତ ଅନୁଯାୟୀ ଏହି ଦ୍ୟୂତି କ୍ରୀଡାରେ ମା ମହାଲକ୍ଷ୍ମୀଙ୍କ ଠାରୁ ଜଗନ୍ନାଥ ମହାପ୍ରଭୁ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ୭ ଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ । ଅଷ୍ଟମୀ ଦିନ ଅବକାଶ ପୂଜା ସମୟରେ ପୁନଃ ମାଧବ ସିଂହାସନରେ ବିଜେ କରିବେ। ମହାପ୍ରଭୁଙ୍କ ତରଫରୁ ପ୍ରତିନିଧି ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ର ୨୧ଟି ହିଙ୍ଗୁଳ କଉଡ଼ି, ୨୧ଟି ରୂପା କଉଡି, ପଶା ଶକଟା ଖେଳିଥାନ୍ତି ।