ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା

ନନ୍ଦିଘୋଷ ବ୍ୟୁରୋ: ନିଜର ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଭରୁଆମୁଣ୍ଡା ଗାଁର ଦିବ୍ୟାଙ୍ଗ ଛାତ୍ର ଜଗନ୍ନାଥ ତାଣ୍ଡି ମାଟ୍ରିକ ପରୀକ୍ଷାରେ ୭୪ ପ୍ରତିଶତ ମାର୍କ ରଖି ଚର୍ଚ୍ଚାରେ । ଜନ୍ମରୁ ହାତ ଗୋଡ ନ ଥିଲେ ମଧ୍ୟ ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ବଳରେ କୃତିତ୍ୱ ଅର୍ଜନ କରି ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି ।

କଠିନ ପରିଶ୍ରମ ଆଗରେ ହାର ମାନିଛି ଅକ୍ଷମତା , କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ସଫଳତାର ସିଡି ଚଢାଏ । ଏହି ଉକ୍ତିକୁ ମର୍ମେ ମର୍ମେ ପ୍ରମାଣିତ କରିଛନ୍ତି ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଭରୁଆମୁଣ୍ଡା ଗାଁର ଦିବ୍ଯାଙ୍ଗ ଛାତ୍ର ଜଗନ୍ନାଥ ତାଣ୍ଡି ।  ସେ ଜନ୍ମରୁ ଦିବ୍ଯାଙ୍ଗ, ଦୁଇ ହାତ ନାହିଁ କି ଠିକ ସେ ଚାଲିପାରନ୍ତି ନାହିଁ । ହେଲେ ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୭୪ ପ୍ରତିଶତ ମାର୍କ ରଖି ଅନ୍ଯପାଇଁ ଉଦାହରଣ ସାଜିଛନ୍ତି । ସକଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାଟ୍ରିକ ପରୀକ୍ଷାରେ ୪୪୭ ମାର୍କ ରଖି ବରଗଡ଼ ଜିଲ୍ଲା ପାଇଁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଜଗନ୍ନାଥ ।

ଜଗନ୍ନାଥଙ୍କର ଜନ୍ମରୁ ଦୁଇହାତ ନାହିଁ କି ଗୋଡ଼ ନାହିଁ , ହେଲେ ଦିନ ମଜୁରିଆ ବାପା ପୁଅକୁ ପାଠ ପଢ଼ାଇ ବଡ଼ମଣିଷ କରିବାରେ କୌଣସି ଊଣା କରି ନଥିଲେ । ଗୃହିଣୀ ମା ଜେମା ତାଣ୍ଡି ଘର କାମ ସହ ଦିବ୍ୟାଙ୍ଗ ପୁଅର ନିତ୍ୟକର୍ମ କରାଇ ସ୍କୁଲ ପଠାଇବା ସହ ସବୁ କାମରେ ସାଥ ଦେଇଛନ୍ତି । ପିତାମାତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଜଗନ୍ନାଥ ମଧ୍ୟ ପାଠପଢ଼ାକୁ ପ୍ରାଥମିକତା ଦେଇଥିଲେ । ଯାହା ତାଙ୍କୁ ଆଜି ସଫଳତାର ସ୍ୱାଦ ଚଖାଇ ୭୪ ପ୍ରତିଶତ ମାର୍କରେ ଉତ୍ତୀର୍ଣ୍ଣ କରିବାରେ ସହାୟକ ହୋଇପାରିଛି । ଭବିଷ୍ୟତରେ ଜଣେ ଶିକ୍ଷକ ହେବା ଲକ୍ଷ୍ୟ ରଖିଥିବା ଜଗନ୍ନାଥଙ୍କ ଏହି ସଫଳତାରେ ପରିବାର ସମେତ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି  ।

କଠିନ ପରିଶ୍ରମ ଓ ଦୃଢ ମନୋବଳ ଆଗରେ ଅସଫଳତା ହାର ମାନେ , ଯାହାକୁ ଜଗନ୍ନାଥ ପ୍ରମାଣିତ କରିବା ସହିତ ଅନ୍ଯମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ବରଗଡ଼ରୁ ହିମାଂଶୁ ଶେଖର ନନ୍ଦଙ୍କ ରିପୋର୍ଟ ନନ୍ଦିଘୋଷ ଟିଭି।