ସରକାର ପରିବର୍ତ୍ତନ ପରେ ସରକାରୀ ବ୍ୟବସ୍ଥାକୁ ଚଳୁ କରିଦେଇଛନ୍ତି ସରକାରୀ ବାବୁ!

ନନ୍ଦିଘୋଷ ବ୍ୟୁରୋ: ସାପ କାମୁଡ଼ି ମରିବାର ୬ ମାସ ପରେ ବି ମିଳିନି ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା । ସରକାର ପରିବର୍ତ୍ତନ ପରେ ସରକାରୀ ବ୍ୟବସ୍ଥାକୁ ଚଳୁ କରିଦେଇଛନ୍ତି ସରକାରୀ ବାବୁ । ମୃତକଙ୍କ ପରିବାର ଆର୍ଆଇ, ତହସିଲଦାର ଓ ଜିଲ୍ଲାପାଳଙ୍କୁ ଗୁହାରି କଲା ପରେ ବି ସହାୟତା ମିଳିନାହିଁ । ଗଞ୍ଜାମ ଖଲ୍ଲିକୋଟ ପଥୁରା ନିବାସୀ ଲକ୍ଷ୍ମୀକାନ୍ତ ବେହେରାଙ୍କ ୫ ବର୍ଷର ପୁଅର ମୁଣ୍ଡକୁ ବିଷଧର ସାପ କାମୁଡି ପ୍ରାଣହାନୀ ଘଟିଲା । ପଚାରିଲେ ରାଜସ୍ବ ମନ୍ତ୍ରୀ କହୁଛନ୍ତି, ତାଙ୍କ ଦୃଷ୍ଟିକୁ ଆସିନାହିଁ । ଯାହାକୁ ନିନ୍ଦା କରିଛନ୍ତି ବିରୋଧୀ ।

ସରକାରୀ ବ୍ୟବସ୍ଥାକୁ ଫୁ କରିଦେଉଛନ୍ତି ସରକାରୀ ବାବୁ । ରାଜସ୍ବ ମନ୍ତ୍ରୀଙ୍କ ବିଭାଗରେ ଚରମ ଅବହେଳା । ବିଷଧର ସାପ କାମୁଡ଼ି ୫ ବର୍ଷ ପୁଅର ଜୀବନ ଗଲା । ୬ ମାସ ପରେ ବି ମିଳିନି ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି । ଆରଆଇ, ତହସିଲ, ଜିଲ୍ଲାପାଳଙ୍କୁ ଗୁହାରୀ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର ତାଙ୍କ ଦୃଷ୍ଟିକୁ ଆସିଲେ ଧଡ଼ାଧଡ଼ ଟଙ୍କା ମିଳିବ । ସରକାର ପରିବର୍ତ୍ତନ ପରେ ଏ ହେଉଛି ମୋହନ ସରକାରଙ୍କ ବ୍ୟବସ୍ଥା । ଯାହାର ଯାହା ହେବ ଏଣିକି ବିଭାଗୀୟ ମନ୍ତ୍ରୀଙ୍କ ଦପ୍ତରକୁ ଆସି ଗୁହାରୀ କରିବେ କି ଲୋକେ ? ଘଟଣାଟି ଏପରି । ୨୦୨୪ ଅଗଷ୍ଟ ୨୩ ତାରିଖରେ ଗଞ୍ଜାମ ଖଲ୍ଲିକୋଟ ପଥୁରା ନିବାସୀ ଲକ୍ଷ୍ମୀକାନ୍ତ ବେହେରାଙ୍କ ୫ ବର୍ଷର ପୁଅ ପ୍ରବୀଣର ମୁଣ୍ଡକୁ ବିଷଧର ସାପ କାମୁଡିଲା । ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ତାକୁ ଆଣ୍ଟି ସ୍ନେକ ଭେନମ୍ ଇଞ୍ଜେକସନ୍ ନ ଦେଇ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଦେଲେ । ଆମ୍ବୁଲାନ୍ସରେ ରୋଗୀକୁ ଅକ୍ସିଜେନ୍ ଲଗାଇ ଭୁବନେଶ୍ବର ଅଣାଗଲା । କିନ୍ତୁ ୧୫ କିଲୋମିଟର ଆସିବା ପରେ ଅକ୍ସିଜେନ୍ ସରିଗଲା । ପୁଣିଥରେ ଆମ୍ବୁଲାନ୍ସ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଫେରି ଆଉ ଗୋଟିଏ ଆମ୍ବୁଲାନ୍ସରେ ରୋଗୀକୁ ଧରି କ୍ୟାପିଟାଲ ହସ୍ପିଟାଲ ପହଞ୍ଚିଲାବେଳକୁ ପ୍ରବୀଣର ପ୍ରାଣବାୟୁ ଉଡିଯାଇଥିଲା । ବିଷଧର ସାପ କାମୁଡ଼ାରେ ପ୍ରବୀଣର ଜୀବନ ଯାଇଥିବା ଗତବର୍ଷ ଅଗଷ୍ଟ ୩୧ ତାରିଖରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଶବବ୍ୟବଚ୍ଛେଦ ରିପୋର୍ଟ ଦେଲେ । ହେଲେ ଏ ପର୍ଯ୍ୟନ୍ତ ଟଙ୍କାଟିଏ ସହାୟତା ମିଳିନାହିଁ । କେନ୍ଦ୍ର ସରକାରଙ୍କ ନିୟମ ରହିଛି, ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ୨୪ ଘଣ୍ଟା ଭିତରେ କ୍ଷତିଗ୍ରସ୍ତ ପରିବାର ଦୁଆରେ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶିର କିଛି ଅଂଶ ପ୍ରଦାନ କରାଯିବ ।

ରାଜସ୍ବ ବିଭାଗର ଏପରି ଅବହେଳାକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ । ପୂର୍ବ ବିଜେଡି ସରକାର ସମୟରେ ଏପରି ଅବହେଳା ଦେଖିବାକୁ ମିଳୁନଥିଲା । କଂଗ୍ରେସ ଅଭିଯୋଗ କରିଛି ଏ ସରକାରରେ ମନ୍ତ୍ରୀଙ୍କ କଥା ବାବୁ ଶୁଣୁନାହାନ୍ତି । ଅତୀତରେ ବି ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି । ଶାସନ ବଦଳିଲେ ବ୍ୟବସ୍ଥା ବଦଳେନି । କିନ୍ତୁ ଏବେ ଗୋଟିଏ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି । ସାପ କାମୁଡ଼ା, ପାଣିରେ ବୁଡ଼ି କିମ୍ବା ବଜ୍ରପାତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା ସହାୟତା ମିଳିଥାଏ । ରାଜସ୍ବ ବିଭାଗ ଅଧୀନରେ ଥିବା ଏସ୍ଆର୍ସିଙ୍କ ପକ୍ଷରୁ ସବୁ ଜିଲ୍ଲା ପ୍ରଶାସନକୁ ଷ୍ଟାଣ୍ଡିଂ ନିର୍ଦ୍ଦେଶ ରହିଛି । ଏହାକୁ କାର୍ଯ୍ୟକାରୀ କରିବାରେ ଅସୁବିଧା ରହିଲା କେଉଁଠି ? ମୃତକର ପୋଷ୍ଟମର୍ଟମ ରିପୋର୍ଟ ଥାଇ କାହିଁକି ପରିବାର ସଦସ୍ୟ ସରକାରୀ ଦପ୍ତରର ଚକ୍କର କାଟିବେ ।

ଅନୁକମ୍ପା ରାଶି ମିଳୁନି । ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀ ଯଦି ସାପ କାମୁଡ଼ା ଇଞ୍ଜେକ୍ସନ୍ ତତକ୍ଷଣାତ ଦେଇଥାନ୍ତେ ତାହେଲେ ସ୍ଥିତି କିଛି ଭିନ୍ନ ହୋଇଥାନ୍ତା । ଆମ୍ବୁଲାନ୍ସରେ ଅକ୍ସିଜେନ୍ ପୂରା ରହିଲାନି କେମିତି ? ଖୋଦ ଆଇନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟସେବା ଏକ ପ୍ରକାର ଠପ୍ । ତାହେଲେ ରାଜ୍ୟରେ ସ୍ବାସ୍ଥ୍ୟସେବା କେମିତି ଚାଲିଛି ଏଥିରୁ ଜଳଜଳ ବାରି ହୋଇପଡ଼ୁଛି । ଏବେ ଲକ୍ଷ୍ମୀକାନ୍ତଙ୍କ ପୁଅ ତ ଫେରିବନି । ଅବହେଳା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ? ନା ଏଥିପାଇଁ କ୍ଷତିଗ୍ରସ୍ତଙ୍କୁ ମନ୍ତ୍ରୀଙ୍କ ଦ୍ବାରସ୍ଥ ହେବାକୁ ପଡ଼ିବ ?