ବୋଲିଂରେ ବ୍ୟାଟରଙ୍କୁ କରୁଛନ୍ତି ଧରାଶାୟୀ, ବ୍ୟାଟିଂରୁ ହୁଏ ଚଉକା ଛକାର ବର୍ଷା

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ଦଳପତିପୁଟର ଏକ ସାଧାରଣ ଝିଅ, ଯିଏ ତାଙ୍କ ସଂଘର୍ଷ ଓ ଆତ୍ମବିଶ୍ୱାସର ଆଧାରରେ କେବଳ ଗାଁ ନୁହେଁ, ସାରା ରାଜ୍ୟର ମାନ ରଖିଛନ୍ତି । ଆଜି ସେ ପ୍ରେରଣାର ପରିଚୟ । ଗରିବ ପରିବାରର ଏହି ମାଟିର ହୀରା ଦେଖାଇ ଦେଇଛନ୍ତି ଯେ ସଂଘର୍ଷ ଓ କଠିନ ପରିଶ୍ରମ ସହ ଆତ୍ମବିଶ୍ୱାସ ରଖିଲେ କୌଣସି ସ୍ଵପ୍ନ ବହୁ ଦୂର ନୁହେଁ। ଏବେ ସେ ଓଡ଼ିଶା ଦିବ୍ୟାଙ୍ଗ ମହିଳା କ୍ରିକେଟ ଦଳର ଅଂଶ।

ଗ୍ରାଉଣ୍ଡରେ ବୋଲିଂ କଲେ ଧରାସାୟୀ ହୋଇଯାଉଛନ୍ତି ବ୍ଯାଟର । ତାଙ୍କ ବ୍ୟାଟିଂରୁ ବର୍ଷା ହୁଏ ଚଉକା ଛକା । ଆମେ କହୁଛି ମାଲକାନଗିରି ଜିଲ୍ଲାର ଦଳପତିପୁଟ କଣିଆ ଅଞ୍ଚଳର କ୍ରିକେଟ ଖେଳାଳି ସୁକାନ୍ତି ଦଳପତିଙ୍କ କଥା । ଦିବ୍ୟାଙ୍ଗ ହୋଇ ମଧ୍ୟ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ଜଣେ ଜାତୀୟ ସ୍ତରର ଖେଳାଳି ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି ଗତ କିଛିଦନ ତଳେ କେରଳରେ ଆୟୋଜିତ ପଞ୍ଚମ ଜାତୀୟ ଦିବ୍ୟାଙ୍ଗ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୁକାନ୍ତି ଓଡିଶାକୁ ପ୍ରତିନିଧିତ୍ୱ କରିଥିଲେ । ଏହା ତାଙ୍କ ଜୀବନର ପ୍ରଥମ ବଡ଼ ପ୍ଲାଟଫର୍ମ ଓ ଦୀର୍ଘ ସଂଘର୍ଷର ପୁରସ୍କାର ବୋଲି ସେ କୁହନ୍ତି । ଜାତୀୟ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇ ଗାଁରେ ପହଞ୍ଚିବା ପରେ ତାଙ୍କୁ ନାଚଗୀତରେ ଫୁଲମାଳ ପିନ୍ଧାଇ ପାଛୋଟି ଆଣିଥିଲେ ଅଞ୍ଚଳବାସୀ । ତାଙ୍କର ଏହି ସଫଳତା ପାଇଁ ପରିବାର ଓ ଅଞ୍ଚଳବାସୀ ଗର୍ବ ଅନୁଭବ କରନ୍ତି ।

ଉପାନ୍ତ ମାଲାକାନଗିରି ଜିଲ୍ଲାର କଣିଆ ମଠରୁ ସୁକାନ୍ତିଙ୍କ କ୍ରିକେଟ ଯାତ୍ରା ଆରମ୍ଭ ହୋଇଥିଲା । ପାଠପଢ଼ାରୁ ଅବସର ସମୟରେ ସେ ଗାଁ ମାଟିରେ ଅଭ୍ୟାସ ଆରମ୍ଭ କରିଦିଅନ୍ତି । ସେ ଅଲରାଉଣ୍ଡର ଭାବେ ଓଡ଼ିଶାର ଭିନ୍ନକ୍ଷମ ମହିଳା କ୍ରିକେଟ ଟିମରେ ସ୍ଥାନ ପାଇଛନ୍ତି । କେରଳରେ ଏକ ଜାତୀୟ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଖେଲ ପ୍ରଦର୍ଶନ ସମସ୍ତଙ୍କୁ ଆଚମ୍ଵିତ କରିଥିଲା ।  ସୁକାନ୍ତି ଭୁବନେଶ୍ୱରର ଏଲଜି ବିଦ୍ୟାଳୟରେ ପାଠ ପଢନ୍ତି । ଦିବ୍ୟାଙ୍ଗ ହୋଇ ମଧ୍ୟ ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ସେ ଜଣେ ସଫଳ କ୍ରିକେଟର ହୋଇପାରିଛନ୍ତି । ଦଳପତିପୁଟର ଏହି ସୁକାନ୍ତିଙ୍କୁ ସାରା ରାଜ୍ୟ ଓ ଦେଶରୁ ଅଭିନନ୍ଦନର ସୂଅ ଛୁଟିଛି । ଝିଅକୁ ସରକାରୀ ପ୍ରୋତ୍ସାହନ ମିଳିପାରିଲେ ଝିଅ ଆଗକୁ ଦେଶ ପାଇଁ ଖେଳି ଗୌରବ ଆଣିବ ବୋଲି କହିଛନ୍ତି ସୁକାନ୍ତିଙ୍କ ବାପା ।

ଦିବ୍ୟାଙ୍ଗ ହୋଇ ନିଜର କଠିନ ପରିଶ୍ରମ ଓ ଦୃଢ଼ ଇଛାଶକ୍ତି ବଳରେ ସଫଳତା ପଥରେ ଅଗ୍ରସର ହେଉଛନ୍ତି ମାଲକାନଗିରିର କ୍ରିକେଟର ସୁକାନ୍ତି ଦଳପତି । ମାଲକାନଗିରି ଜିଲ୍ଲାକୁ ଗର୍ବିତ କରିବା ସହିତ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।