ମଧୁପୁରଗଡ଼ ରଥଯାତ୍ରା; ଏଠି ରାଜକୁମାରୀ କରନ୍ତି ଛେରା ପହଁରା

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଧୁପୁରଗଡ଼ ଜଗନ୍ନାଥ ମନ୍ଦିରରେ ରାଜ ରାଜୁଡା ସମୟରୁ ଅନୁଷ୍ଠିତ ହୋଇ ଆସୁଛି ରଥଯାତ୍ରା । ଏଠାକାର ରଥଯାତ୍ରାର ବିଶେଷତ୍ୱ ହେଉଛି ରଥରେ ମଧୁପୁରଗଡ଼ର ରାଜକୁମାରୀଙ୍କ ଛେରା ପହଁରା । ରାଜକୁମାରୀ ଛେରା ପହଁରା କରିବା ପରେ ହିଁ ଏଠି ରଥ ଗଢ଼ିଥାଏ ।

ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ମନ୍ଦିରରେ ରହିଛି ଅନେକ କିମ୍ବଦନ୍ତୀ । ମଧୁପୁରଗଡ଼ର ରାଜା ସୁଦର୍ଶନ ଧୀର ନରେନ୍ଦ୍ର ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ । ୧୯୧୨ ମସିହାରେ ପ୍ରଥମ ଥର ନବକଳେବର ଅନୁଷ୍ଠିତ ହୋଇଥିଲା । ୨୦୧୫ ମସିହାରେ ଶେଷ ନବକଳେବର ଅନୁଷ୍ଠିତ ହୋଇଥିଲା । ରାଜା ସୁଦର୍ଶନ ଧୀର ନରେନ୍ଦ୍ରଙ୍କ ପରେ ପୀଢ଼ି ପରେ ପୀଢ଼ି ଏହି ମନ୍ଦିରର ପରିଚାଳନା କରି ଆସୁଛନ୍ତି । ମନ୍ଦିର ପ୍ରତିଷ୍ଠା ପରଠାରୁ ଏଠାରେ ପ୍ରଭୁଙ୍କ ରଥଯାତ୍ରା ପାଳନ ହୋଇଆସୁଛି ।

ମଧୁପୁରଗଡରେ ହେଉଥିବା ରଥଯାତ୍ରାର ରହିଛି ଅନେକ ବିଶେଷତ୍ଵ । ପୂର୍ବରୁ ତିନୋଟି ରଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । ଏବେ ଗୋଟିଏ ରଥରେ ତିନି ଠାକୁର ବିରାଜମାନ ହେଉଛନ୍ତି । ପରମ୍ପରା ଅନୁସାରେ ରୀତିନୀତି ପାଳନ ହେଲା ପରେ ତିନି ଠାକୁର ରଥରେ ବିରାଜମାନ କରିଥାନ୍ତି । ରାଜା ସାରଥିଙ୍କୁ ଆଦେଶ ଦେବା ପରେ ହିଁ ଠାକୁର ମାଉସୀ ମା ମନ୍ଦିରକୁ ବିଜେ କରନ୍ତି ।  ଏହି ରଥଯାତ୍ରାରେ ରାଜା ଛେରା ପହଁରା କରିଥାନ୍ତି । ରାଜା କୃଷ୍ଣ ପ୍ରକାଶ ଧୀର ନରେନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କ ଝିଅ ତଥା ରାଜକୁମାରୀ ଅପର୍ଣ୍ଣା ଧୀର ନରେନ୍ଦ୍ର ଭରଦ୍ୱାଜ ୨୦୦୮ ମସିହାରୁ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି । ରଥଯାତ୍ରାରେ ରାଜକୁମାରୀ ଛେରା ପହଁରା କରିବା ପରେ ହିଁ ରଥ ଗଡିଥାଏ । ଏହି ରଥଯାତ୍ରା ଦେଖିବା ପାଇଁ ବିଭିନ୍ନ କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଥାଏ ।