ସକାଳ-ନନ୍ଦିଘୋଷ ଟିଭିର ଆଜି ’ଦହନା’

ଭୁବନେଶ୍ୱର: ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମାଟି ପଶ୍ଚିମ ଓଡ଼ିଶା । ଏ ଅଞ୍ଚଳ ଏବେ ବିକାଶର ରାସ୍ତାରେ । ବିକାଶକୁ ଅଧିକ ତ୍ବରାନ୍ବିତ କରିବାକୁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ଗୋଟିଏ ମଞ୍ଚରେ ଏକାଠି ହେବେ ଅଭିଜ୍ଞ ରାଜନେତା, ସମାଜସେବୀ, ଅଭିନେତା, ଅଭିନେତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ । ପଶ୍ଚିମାଞ୍ଚଳର ବିକାଶ ରଥକୁ ଆହୁରି ଆଗକୁ ନେବାକୁ ହେବ ମାନସମନ୍ଥନ । ଗୋଷ୍ଠୀ ଓ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ପ୍ରସ୍ତୁତ ହେବ ନୂଆ ବିକାଶର ନୀଳନକ୍ସା । ଏଥିପାଇଁ ଆଜି ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଦହନା’ । ରବିବାର ଅପରାହ୍ନ ୪ଟାରେ ସମ୍ବଲପୁର ତପସ୍ବିନୀ ହଲଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

କାର୍ଯ୍ୟସୂଚୀ ଅନୁସାରେ ଆଜି ଅପରାହ୍ନ ୩.୪୫ରେ ମା’ ସମଲେଶ୍ବରୀଙ୍କ ବନ୍ଦନାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଅପରାହ୍ନ ୪ଟାରେ ଆରମ୍ଭ ହେବ ’ଦହନା’ର ପ୍ରଥମ ଅଧିବେଶନ । ‘ପଶ୍ଚିମ ଓଡ଼ିଶା ବିକାଶର ନକ୍ସା’ ଶୀର୍ଷକ ଆଲୋଚନାଚକ୍ରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସୁରେଶ ପୂଜାରୀ ସାମିଲ ହେବେ । ଏହି ଅଧିବେଶନକୁ ସଂଯୋଜନା କରିବେ ନନ୍ଦିଘୋଷ ଟିଭି ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର । ଅପରାହ୍ନ ୫ଟାରେ ସମ୍ବଲପୁରୀ କ୍ଷୁଦ୍ର ନାଟକ ପରିବେଷଣ କରାଯିବ । ସାଢ଼େ ୫ଟାରେ ଅନୁଷ୍ଠିତ ହେବ ଦ୍ୱିତୀୟ ଅଧିବେଶନ । ‘ଓଡ଼ିଆ ସିନେମାକୁ ପଶ୍ଚିମ ଓଡ଼ିଶାର ଅବଦାନ’ ଶୀର୍ଷକ ଆଲୋଚନାଚକ୍ରରେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର, ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଯୋଗ ଦେବେ । ଏହି ଅଧିବେଶନକୁ ସଂଯୋଜନା କରିବେ ନନ୍ଦିଘୋଷ ଟିଭି ଉପସ୍ଥାପକ ଅବିନାଶ ଷଡ଼ଙ୍ଗୀ ।

ଏହାପରେ ସମ୍ମାନ ଓ ସମ୍ବଦ୍ଧର୍ନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ‘ବିକାଶ ରାସ୍ତାରେ ନାରୀ’ ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରିବେ ବର୍ଷା ପ୍ରିୟଦର୍ଶିନୀ ଓ ଜୟନ୍ତୀ ଏକ୍କା । ଏହାକୁ ସଂଯୋଜନା କରିବେ ନନ୍ଦିଘୋଷ ଟିଭି ଉପସ୍ଥାପିକା ଶୁଭଶ୍ରୀ ମହାପାତ୍ର । ସନ୍ଧ୍ୟା ୭ଟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ପପୁ ପମପମ୍, ଅଭିଜିତ ମଜମୁଦାର, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ ଓ ଶାନ୍ତନୁ ପ୍ରମୁଖ ଯୋଗଦେବେ ।