ଆରମ୍ଭ ହେଲା ଦହନା: ପ୍ରୟାସ ବିକାଶର ଏକ ନୂଆ ଅଧ୍ୟାୟ ପାଇଁ

ସମ୍ବଲପୁର:

ସମ୍ବଲପୁରରେ ଦୈନିକ ଖବରକାଗଜ ସକାଳ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦହନା ଆୟୋଜିତ ହୋଇଯାଇଛି । ଦହନାର ପ୍ରଥମ ଅଧିବେଶନର ବିଷୟ ବସ୍ତୁ ଥିଲା ପଶ୍ଚିମ ଓଡ଼ିଶା ବିକାଶର ନକ୍ସା । ଯେଉଁଥିରେ ବିକାଶକୁ ଅଧିକ ତ୍ବରାନ୍ବିତ କରିବାକୁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ । ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଅଭିଜ୍ଞ ରାଜନେତା, ସମାଜସେବୀ, ଅଭିନେତା, ଅଭିନେତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି । ପଶ୍ଚିମାଞ୍ଚଳର ବିକାଶ ରଥକୁ ଆହୁରି ଆଗକୁ ନେବାକୁ ମାନସମନ୍ଥନ କରାଯାଇଛି । ଗୋଷ୍ଠୀ ଓ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ପ୍ରସ୍ତୁତ ହୋଇଛି ନୂଆ ବିକାଶର ନକ୍ସା । ଅପରାହ୍ନରେ ମା’ ସମଲେଶ୍ବରୀଙ୍କ ବନ୍ଦନାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସୁରେଶ ପୂଜାରୀ, ସକାଳ ଓ ନନ୍ଦିଘୋଷ ଗ୍ରୁପ୍ ଅଧ୍ୟକ୍ଷ ମାନସ ରଂଜନ ମଙ୍ଗରାଜ । ‘ଦହନା’ର ପ୍ରଥମ ଅଧିବେଶନର ବିଷୟ ବସ୍ତୁ ରହିଛି ‘ପଶ୍ଚିମ ଓଡ଼ିଶା ବିକାଶର ନକ୍ସା’ । ଏଥିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସୁରେଶ ପୂଜାରୀ ସାମିଲ ହୋଇଛନ୍ତି । ନନ୍ଦିଘୋଷ ଟିଭି ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର ଏହାକୁ ସଂଯୋଜନା କରିଛନ୍ତି ।

ଅପରାହ୍ନ ୫ଟାରେ ସମ୍ବଲପୁରୀ କ୍ଷୁଦ୍ର ନାଟକ ପରିବେଷଣ କରାଯିବ । ସାଢ଼େ ୫ଟାରେ ଅନୁଷ୍ଠିତ ହେବ ଦ୍ୱିତୀୟ ଅଧିବେଶନ । ଯାହାର ଶୀର୍ଷକ ରହିଛି ‘ଓଡ଼ିଆ ସିନେମାକୁ ପଶ୍ଚିମ ଓଡ଼ିଶାର ଅବଦାନ’ । ଆଲୋଚନାଚକ୍ରରେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର, ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଯୋଗ ଦେବେ । ଏହି ଅଧିବେଶନକୁ ସଂଯୋଜନା କରିବେ ନନ୍ଦିଘୋଷ ଟିଭି ଉପସ୍ଥାପକ ଅବିନାଶ ଷଡ଼ଙ୍ଗୀ ।

ଏହାପରେ ସମ୍ମାନ ଓ ସମ୍ବଦ୍ଧର୍ନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ‘ବିକାଶ ରାସ୍ତାରେ ନାରୀ’ ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରିବେ ବର୍ଷା ପ୍ରିୟଦର୍ଶିନୀ ଓ ଜୟନ୍ତୀ ଏକ୍କା । ଏହାକୁ ସଂଯୋଜନା କରିବେ ନନ୍ଦିଘୋଷ ଟିଭି ଉପସ୍ଥାପିକା ଶୁଭଶ୍ରୀ ମହାପାତ୍ର । ସନ୍ଧ୍ୟା ୭ଟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ପପୁ ପମପମ୍, ଅଭିଜିତ ମଜମୁଦାର, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ ଓ ଶାନ୍ତନୁ ପ୍ରମୁଖ ଯୋଗଦେବେ ।