ଭୁବନେଶ୍ବରରେ ଶୀଘ୍ର କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ପେଟ ଆକ୍ଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଖୁବଶୀଘ୍ର ଲାଗୁ ହେବ ସ୍ବତନ୍ତ୍ର ପେଟ ଆକ୍ଟ । ଗତକାଲି ଅନୁଷ୍ଠିତ ବିଏମସିର କର୍ପୋରେସନ ବୈଠକରେ ସର୍ବସମ୍ମତି କ୍ରମେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ପାରିତ ହୋଇଛି । ଏହାକୁ ବିଏମସି ପକ୍ଷରୁ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବିଭାଗକୁ ପଠାଯିବ । ସରକାରଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇ ଭୁବନେଶ୍ବର ପାଇଁ କାର୍ଯ୍ୟକାରୀ କରାଯିବ ।

ପୂର୍ବରୁ ଚିଠା ପ୍ରସ୍ତୁତ କରି ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ପଶୁପ୍ରେମୀ, ପଶୁପକ୍ଷୀଙ୍କ ମାଲିକଙ୍କ ପରାମର୍ଶ ନିଆଯାଇଥିଲା । ଏହି ଆଇନ କାର୍ଯ୍ୟକାରୀ ହେଲେ ଏଣିକି ଘରେ ପଶୁପକ୍ଷୀଙ୍କୁ ରଖିବାକୁ ହେଲେ ବିଏମସିର ଅନୁମତି ସହ ପଞ୍ଜିକରଣ କରିବା ବାଧ୍ୟତାମୂଳକ ହେବ । ପଶୁପକ୍ଷୀଙ୍କ ପାଇଁ ନିଜସ୍ବ ତଥା ସ୍ବତନ୍ତ୍ର ସ୍ଥାନ ନଥିଲେ ଜନବସତି ମଧ୍ୟରେ ପୋଷିବା କଷ୍ଟକର ହେବ । ପେଟ ଆକ୍ଟ ଲାଗୁ ହେଲେ ଭୁବନେଶ୍ବର ରାଜ୍ୟର ପ୍ରଥମ ସହର ହେବ ବୋଲି ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ।