ଗୁରୁତର ନବ ଦାସଙ୍କୁ ସ୍ୱତନ୍ତ୍ର ମେଡିକାଲ ଟିମ୍ କରୁଛନ୍ତି ଚିକିତ୍ସା

ନନ୍ଦିଘୋଷ ବ୍ୟୁରୋ: ଗୁଳିମାଡରେ ଗୁରୁତର ମନ୍ତ୍ରୀ ନବ କିଶୋର ଦାସଙ୍କ ଜୀବନ ରକ୍ଷା ଲାଗି ଅଭୁତପୂର୍ବ ସଂଗ୍ରାମ ।  ଆପୋଲୋ ମେଡିକାଲରେ ଗଠନ ହେଲା ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ଆଇସିୟୁରେ ଗୁଳି ବାହାର କରିବାରେ ଲାଗିଛନ୍ତି ଏହି ମେଡିକାଲ ଟିମ  । ଯୁଦ୍ଧକାଳୀନ ଭିତରେ କରାଯାଇଥିଲା ସମସ୍ତ ବ୍ୟବସ୍ଥା । ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ବିମାନବନ୍ଦରରୁ ଏୟାରଲିଫ୍ଟ କରାଯାଇଥିଲା  ।

ବ୍ରଜରାଜନଗର ଗାନ୍ଧି ଛକରେ ଫାଣ୍ଡି ଏଏସଆଇ ଗୋପାଳକୃଷ୍ଣ ଦାସ ମନ୍ତ୍ରୀଙ୍କୁ ଗୁଳି କରିବା ପରେ ଆଲର୍ଟରେ ଥିଲେ ଉଭୟ ଝାରସୁଗୁଡା ଓ ଭୁବନେଶ୍ବର ପ୍ରଶାସନ । ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ହସ୍ପିଟାଲ ନେବା ପରେ ଭୁବନେଶ୍ବରକୁ କରାଯାଇଥିଲା ଏୟାରଲିଫ୍ଟ । ଭୁବନେଶ୍ବର ବିମାନବନ୍ଦରରେ ଆହତ ମନ୍ତ୍ରୀ ପହଞ୍ଚିବା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ସମସ୍ତ କ୍ଷେତ୍ର । ଏୟାରପୋର୍ଟଠାରୁ ଆପୋଲୋ ହସ୍ପିଟାଲ ଯାଏ ମୁଖ୍ୟରାସ୍ତାକୁ କରିଦିଆଯାଇଥିଲା ସିଲ୍ । ସମସ୍ତ ଟ୍ରାଫିକ ପୋଷ୍ଟରେ ମୁତୟନ ହୋଇଥିଲେ ପୋଲିସ ।

ପ୍ରାୟ ୬ କିଲୋମିଟର ରାସ୍ତାକୁ କରିଦିଆଯାଇଥିଲା ଜନଶୂନ୍ୟ । ମନ୍ତ୍ରୀଙ୍କ ଜୀବନ ରକ୍ଷା ଲାଗି ପୂରାଦମରେ ଲାଗିପଡିଥିଲେ ପୋଲିସ ପ୍ରଶାସନ । ନିୟୋଜିତ ହୋଇଥିଲେ ୪ଟି ଆମ୍ବୁଲାନ୍ସ , ଅନେକ ପିସିଆର ଓ ପୋଲିସ ଗାଡ଼ି । ତୁରନ୍ତ ନବ ଦାସଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସ୍ବତନ୍ତ୍ର ଟିମ୍ ଦ୍ବାରା ଆରମ୍ଭ ହୋଇଥିଲା ଚିକିତ୍ସା । କେଇ ମୁହୂର୍ତ୍ତ ମଧ୍ୟରେ ପୋଲିସ ନେଇଥିଲା ସତର୍କତାମୂଳକ ପଦକ୍ଷେପ  ।