ଓଡ଼ିଶାରେ ପଡ଼ିବନି ବାତ୍ୟାର ବିଶେଷ ପ୍ରଭାବ : IMD ଡିଜି

1 min read

ଦିଲ୍ଲୀ : ସମ୍ଭାବ୍ୟ ବାତ୍ୟାକୁ ନେଇ IMD ଡିଜି  ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,  ଗତକାଲି ସୃଷ୍ଟି ହୋଇଥିବା ଅବାପାତଟି କ୍ରମଶଃ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି ।  ଆଜି ସକାଳେ ଏହା ଏକ ଗଭୀର  ଅବପାତରେ ପରିଣତ ହୋଇଛି । ଏହାର କେନ୍ଦ୍ରସ୍ଥଳୀରେ ବର୍ତ୍ତମାନ ଘଣ୍ଟାପ୍ରତି 50ରୁ 60 କିଲୋମିଟର ବେଗରେ ପବନ ବହୁଛି । ଏହା କ୍ରମଶଃ ଘନୀଭୂତ ହୋଇପାରେ । ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ । ବାତ୍ୟା ୧୮ ତାରିଖ ସକାଳେ ବାଂଲାଦେଶର ଖେପୁପୁରା ଏବଂ ମଙ୍ଗଳା ଅଞ୍ଚଳରେ ଉପକୂଳ ଅତିକ୍ରମ କରିବ । ପବନର ବେଗ ଅତି ବେଶୀରେ ଘଣ୍ଟା ପ୍ରତି 70ରୁ 80 କିମି ହୋଇପାରେ ।

ଏହି ଖବର ଉପରେ ନଜର ପକାନ୍ତୁ : ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ

ଝଟକା ପବନ ଘଣ୍ଟାପ୍ରତି 90 କିମି ହୋଇପାରେ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସର୍ବାଧିକ ପବନ ରହିବ । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି  ।  ପୁରୀରୁ ଆରମ୍ଭ କରି ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ ବୋଲି ଆଇଏମଡି ଡିଜି କହିଛନ୍ତି ।