ପୂଜା ମଣ୍ଡପ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌, ୭ ଜଣରୁ ଅଧିକ ଏକାଠି ରହିବାକୁ ମନା

Puja Guideline

ଭୁବନେଶ୍ୱର: ପାର୍ବଣ ପାଇଁ ମାର୍ଗଦର୍ଶିକା ଜାରି କଲେ ଏସ୍‌ଆର୍‌ସି । ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ସହିତ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ପଡ଼ୁଥିବା ପୂଜା ପାଇଁ ଏସ୍‌ଆର୍‌ସି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ପୂଜା ମଣ୍ଡପ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । କମିଶନରେଟ୍ ପୋଲିସ ଅଞ୍ଚଳରେ ପୋଲିସ କମିଶନର ଅନୁମତି ଦେବେ ।

DURGA PUJA (2)

ତେବେ ବିଭିନ୍ନ ପୂଜା ପାର୍ବଣରେ ଭଗବାନଙ୍କ ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ ଫୁଟ୍‌ ରହିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ଖାଲି ସେତିକି ନୁହେଁ, ମଣ୍ଡପର ଚାରିପଟ ବନ୍ଦ ରହିବା ସହ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ଏସ୍ଆର୍‌ସି ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । କୌଣସି ସମୟରେ ମଣ୍ଡପରେ ୭ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । କର୍ତ୍ତା, ପୂଜକ ଓ ସହଯୋଗୀ କର୍ମଚାରୀଙ୍କୁ ମଣ୍ଡପକୁ ଯିବା ପାଇଁ ଅନୁମତି ଦିଆଯିବ ।

ମଣ୍ଡପ ଗୁଡ଼ିକରେ କୋଭିଡ୍‌ ନିୟମ ପାଳନ ବାଧ୍ୟତା ମୂଳକ । ଯଦି କେହି କୋଭିଡ୍‌ ନିୟମ ଉଲଂଘନ କରିବେ ତେବେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଏସ୍‌ଆର୍‌ସି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ସର୍ତ୍ତଗୁଡ଼ିକୁ ଆୟୋଜକମାନେ ମଧ୍ୟ ମାନିବାକୁ ବାଧ୍ୟ ।

ତେବେ ପୂଜା ସରିବା ପରେ ଭସାଣ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏମିତିକି ମଣ୍ଡପ ଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଅନୁମତି ମିଳିବନି । ସଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ଲୋକ ଯୋଗଦେବାର ସମ୍ଭାବନା ରହିଥିବାରୁ ଏହାକୁ ଅନୁମତି ଦିଆଯିବ ନାହିଁ । ସେହିପରି ମୂର୍ତ୍ତି ବିସର୍ଜନ ବେଳେ କୃତ୍ରିମ ପୋଖରୀ ସୃଷ୍ଟି କରାଯାଇ ସେଥିରେ ବିସର୍ଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

Leave a Reply