ଏକାମ୍ର ହାଟଠାରେ ‘ବୟନିକା’ ପକ୍ଷରୁ ସ୍ୱତନ୍ତ୍ର ଫେସନ ସୋ’ ଅନୁଷ୍ଠିତ

1 min read

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଅଗଷ୍ଟ ୭ ତାରିଖ ଠାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ ନବମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହେଉଛି । ଏହି ଅବସରରେ ଆମର ବୟନ ପରଂପରା ଓ ସଂସ୍କୃତିକୁ ସମ୍ମାନ ଜଣାଇବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିଛି । ଆଉ ମଧ୍ୟ ପୁରୁଷାନୁକ୍ରମେ ସେମାନଙ୍କର ଅନନ୍ୟ ଦକ୍ଷତା ଓ ସୃଜନଶୀଳତା ପାଇଁ ବୁଣାକାରମାନଙ୍କୁ ସହାୟତା ଓ ସମର୍ଥନ ମିଳିପାରୁଛି । ଆମ ରାଜ୍ୟର ଉତ୍କୃଷ୍ଟ ହସ୍ତତନ୍ତ ପରଂପରା ଲକ୍ଷଲକ୍ଷ ବୁଣାକାରମାନଙ୍କ ଜୀବନ ଜୀବିକାରେ ସହାୟକ ହୋଇପାରିଛି ।

ଆମର ହସ୍ତତନ୍ତ ପରଂପରାର ଗୁରୁତ୍ୱ ସମ୍ପର୍କରେ ସଚେତନତା ଜାଗ୍ରତ ସହିତ ଦେଶର ସାମାଜିକ-ଅର୍ଥନୈତିକ ଉନ୍ନତିରେ ସହାୟକ ହେବା ଉଦ୍ଦେଶ୍ୟରେ ‘ବୟନିକା’ ପକ୍ଷରୁ ଯୁବବର୍ଗ ନିମନ୍ତେ ପାରଂପାରିକ ପୋଷାକ, ଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ କରାଯାଉଛି । ଆଜି ଏକାମ୍ର ହାଟଠାରେ ‘ବୟନିକା’ ପକ୍ଷରୁ ଏକ ସ୍ୱତନ୍ତ୍ର ଫେସନ ସୋ’ ଅନୁଷ୍ଠିତ ହୋଇଯାଇଛି । ଏହି ଫେସନ୍ ସୋ’ର ବିଷୟ ବସ୍ତୁ ରହିଛି ‘ଥ୍ରେଡ୍‌ସ ଅଫ୍ ଟ୍ରାଡିସନ୍‌’ ।

ଆଜି ସଂଧ୍ୟାରେ ଆୟୋଜିତ ଫେସନ୍ ସୋ’କୁ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ତଥା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନସଚିବ ଉଷା ପାଢୀ, ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ନେସ୍‌ନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଫେସନ ଟେକ୍‌ନୋଲୋଜିର ନିର୍ଦ୍ଦେଶକ ରାଜେଶ କୁମାର ଝା, ବୟନିକାର ପରିଚାଳନା ନିର୍ଦ୍ଦେଶକ ତଥା ହସ୍ତତନ୍ତ ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।