ଗର୍ଭଗୃହ ଭିତରକୁ ଯାଉଥିବା ସେବାୟତଙ୍କ ଲାଗି ଲାଗୁହେବ ସ୍ୱତନ୍ତ୍ର ଡ୍ରେସ କୋଡ୍

1 min read

ପୁରୀ: ଶ୍ରୀମନ୍ଦିରରେ ଲାଗୁହେବ ସ୍ୱତନ୍ତ୍ର ଡ୍ରେସ କୋଡ଼ । ଗର୍ଭଗୃହ ଭିତରକୁ ଯାଉଥିବା ସେବାୟତ ମାନଙ୍କ ପାଇଁ ଧୋତି ମକୁଟା କିମ୍ବା ଢିଲା ପାଇଜାମା ଡ୍ରେସ କୋଡ଼ ବାଧ୍ୟତାମୂଳକ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୧୯୦ କୋଟି ଟଙ୍କାର ବଜେଟ ସମ୍ପର୍କରେ ଅର୍ଥ ସବ କମିଟିରେ ଆଲୋଚନା ହୋଇଛି । ସେପଟେ ନଭେମ୍ବର ୪ ଦୀପାବଳି, ୧୬ ତାରିଖ ଓ ୧୯ ତାରିଖ ଦିନ ଶ୍ରୀମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ । ୧୮ତାରିଖ ଦିନ ଗୁରୁକୂଳ ଆଶ୍ରମ ନେଇ ଅନୁଷ୍ଠିତ ହେବ ଭୂମିପୂଜନ। ଯୋଗଦେବେ ମୁଖ୍ୟମନ୍ତ୍ରୀ ।
ଅନ୍ୟପକ୍ଷରେ ପୁରୀରେ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଛି କାର୍ତ୍ତିକ ନୀତିନିର୍ଘଣ୍ଟ । ଆସନ୍ତା ୧୬ ତାରିଖରୁ ୧୯ ନଭେମ୍ବର ଯାଏ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ କରାଯାଇଛି । ସକାଳ ୬ଟା ୩୦ରୁ ୭ଟା ୩୦ ଯାଏଁ ଶ୍ରୀଜିଉଙ୍କ ରାଧା-ଦାମୋଦର ବେଶ ହେବ । ପ୍ରତିଦିନ ଗୋପାଳବଲ୍ଲଭ ଭୋଗରେ ଲାଗି ହେବ ବାଳଭୋଗ । ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପରେ କେବଳ କୋଠଭୋଗ ଲାଗି ହେବ । ନଭେମ୍ବର ୮ତାରିଖରେ ଅବକାଶ ପରେ ହେବ ହରିହର ବେଶ । ୧୫ ତାରିଖରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଏବଂ ହରି ଉତ୍ଥାନ ନୀତି ହେବ । ସେହିପରି ୧୬ ତାରିଖରେ ବାଙ୍କଚୂଡ଼ା ବା ବାମନବେଶ ଓ ଗରୁଡ଼ ଉତ୍ଥାନ ନୀତି ହେବ । ୧୭ ତାରିଖରେ ହେବ ଡାଳିକିଆ ବା ତ୍ରିବିକ୍ରମ ବେଶ, ୧୮ ତାରିଖରେ ଲକ୍ଷ୍ମୀନୃସିଂହ ବେଶ, ୧୯ ତାରିଖରେ ହେବ ରାଜାଧିରାଜ ବେଶ । ପୂର୍ବରୁ ସର୍ବସାଧାରଣ ଦର୍ଶନ ହେଉଥିଲା, ବର୍ତ୍ତମାନ ବନ୍ଦ ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଛତିଶା ନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କ ସହ ବହୁ ଅଧିକାରୀ ସାମିଲ ଯୋଗଦେଇଥିଲେ । ଛତିଶାନିଯୋଗ ବୈଠକ ପୂର୍ବରୁ ଅର୍ଥ ଓ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଛି ।

Leave a Reply