ହଂସୀତା ଓ ଅନୀଲ ଗିରଫ ଘଟଣା, ରିମାଣ୍ଡରେ ଆଣିବା ପରେ ସ୍ପେଶାଲ କ୍ରାଇମ ୟୁନିଟର ଖୋଳତାଡ

ଭୁବନେଶ୍ବର : କ୍ୟାପିଟାଲରୁ ହାଇପ୍ରୋଫାଇଲ କପଲଙ୍କୁ ଠକେଇ ଘଟଣାରେ ଗିରଫ କରିବା ପରେ ଅଭିଯୁକ୍ତଙ୍କ ପାଇଁ ଅଡୁଆ ଯେତିକି ବଢିଛି, ପୋଲିସ ପାଇଁ ମଧ୍ୟ ତଦନ୍ତ ସେତିକି କାଠିକର ପାଠ ପାଲଟିଛି। କାରଣ ଏମାନଙ୍କ ଲିଙ୍କ, ବ୍ୟାଙ୍କ ଟ୍ରାଞ୍ଜାକସନ, ସିଡ଼ିଆର ରିପୋର୍ଟ , ସବୁଥିରୁ ମିଳିଛି ପ୍ରତିପତ୍ତିଶାଳୀ ବା ପ୍ରଭାବଶାଳୀଙ୍କ ସମ୍ପର୍କ। ରିମାଣ୍ଡରେ ଆଣିବା ପରେ ସ୍ପେଶାଲ କ୍ରାଇମ ୟୁନିଟ ଅନେକ ଦିଗକୁ ନେଇ ଖୋଲତାଡ଼ କରିପାରେ। ଟେଣ୍ଡର ଫିକ୍ସିଂ, ହାଇପ୍ରୋଫାଇଲ ଲୋକଙ୍କ ନାଁ ନେଇ ଠକେଇ, ଚାକିରୀ ଦେବା ଓ ଟ୍ରାନ୍ସଫର କରିବାକୁ କହି ଠକେଇ , ଏମାନଙ୍କ ସହଯୋଗୀ, କେଉଁ କେଉଁ ଜାଗାରେ କଳା ଟଙ୍କା ବିନିଯୋଗ କରିଛନ୍ତି , ଏଭଳି ଅନେକ ପ୍ରଶ୍ନର ହୋଇପାରେ ଖୋଳତାଡ଼ । ତେବେ ଆଜି ଅନୀଲ ଓ ହଂସୀତାଙ୍କ ଦୁଇଟି ଘରୋଇ ବ୍ୟାଙ୍କରେ ଥିବା ଆକାଉଣ୍ଟର ଡିଟେଲସ ମାଗି ଏହି ଠକେଇର ଚେର ଖୋଜିବାରେ ଲାଗିଛି କମିଶନରେଟ ପୋଲିସ ।

ରଘୁନାଥପୁରରେ ଥିବା ଅନିଲଙ୍କ ଅଫିସରେ ରେଡ଼ କରିବା ସହ ଜବତ କମ୍ପ୍ୟୁଟର, ହାର୍ଡଡିସ୍କ , ମୋବାଇଲକୁ ଫରେନସିକ ଲ୍ୟାବକୁ ପଠାଯାଇଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଗ୍ରସରି ଦୋକାନ ଓ ପରେ ଗାଙ୍ଗୁରାମ ଦୋକାନ କରିଥିବା ଅନୀଲ କୋଟି କୋଟି ଟଙ୍କାର ମାଲିକ କେମିତି ହେଲେ ? ସୁଦୂର କଳାହାଣ୍ଡି ନର୍ଲା ରୁ ଆସିଥିବା ହଂସୀତା ପ୍ରଥମେ ରାଜଧାନୀର ଏକ ସ୍ପା ରେ କାମ କରୁଥିବା ବେଳେ  ସେ ମଧ୍ୟ କିଭଳି ଲୋକଙ୍କୁ ଚୁନ ଲଗାଇ କୋଟିପତି ହୋଇଗଲେ ସେ ନେଇ ମଧ୍ୟ ଆରମ୍ଭ ହୋଇଛି ଖୋଲତାଡ଼ । ଏସବୁ ଭିତରେ ଆୟକର ବିଭାଗର ସହଯୋଗ କମିଶନରେଟ ପୋଲିସ ଲୋଡିଥିବାରୁ କିଛି ଖଣି ବ୍ୟବସାୟୀ, ଜିମ ମାଲିକ, ମଦ ମାଫିଆ ଓ ଟେଲରଙ୍କ ପ୍ରତି ବଢ଼ିବାରେ ଲାଗିଛି ଅଡୁଆ । ରଘୁନାଥପୁରର ଏକ ଆପାର୍ଟମେଂଟରେ ଏମାନଙ୍କ ନାଁ ରେ ୨ ଟି ଫ୍ଲାଟ ରହିଛି । କିନ୍ତୁ ଡୋର ରେ ସେନସର ଲାଗିଥିବାରୁ ପୋଲିସ କୁ  ଅଧାରୁ ଫେରିବାକୁ ପଡିଛି ।