ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଫେରିଲେ ବାଚସ୍ପତି ଏବଂ ବିଧାୟକ

ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ପରେ ଓଡ଼ିଶା ଫେରିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏବଂ ବିଧାୟକମାନେ । ରାଜଧାନୀରେ ପହଞ୍ଚିବା ପରେ ବଖାଣିଲେ ରାଇସିନା ହିଲ୍ସର ଅନୁଭୂତି । କହିଲେ ଓଡିଶା ବିଧାୟକଙ୍କୁ ମିଳିଲା ସର୍ବୋତ୍ତମ ଆତିଥ୍ୟ । ବାଚସ୍ପତି ଏବଂ ବିଧାୟକଙ୍କୁ ପାଛୋଟି ନେବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ମହାମହିମ । ରାଷ୍ଟ୍ରପତି ହେବା ପରେ ମଧ୍ୟ ମହାମହିମ ପୂର୍ବ ଭଳି ବ୍ୟବହାର କରିଥିବା କହିଛନ୍ତି ବିଧାୟକମାନେ । ଏହାସହ ଓଡ଼ିଶାର ବିକାଶ ଦିଗରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ଯାହା ହୋଇପାରିବ ତାହା କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକୁଣ୍ଠ ସମର୍ଥନ ପାଇଁ ମହାମହିମ ବେଶ ପ୍ରଶଂସା କରିଥିଲେ । ନ କହିବା ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ସାରା ଭାରତ ବର୍ଷରେ ପ୍ରଭାବ ପକାଇଲା ବୋଲି ରାଷ୍ଟ୍ରପତି ବିଧାୟକମାନଙ୍କୁ କହିଛନ୍ତି ।

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ତାଙ୍କୁ ଶୁଭେଚ୍ଛା ଜଣେଇବା ପାଇଁ ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୪ ଜଣିଆ ବିଧାୟକ ଟିମ୍ ରାଇସିନା ହିଲ୍ସ ଯାଇଥିଲେ । ଗତକାଲି ରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜଣେଇବା ସହ ମହାମହିମଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ, ରୁପାର ଜଗନ୍ନାଥଙ୍କ ମୂର୍ତ୍ତି, ଓଡ଼ିଶାର କଳା ସଂସ୍କୃତି ଉପରେ ଅନେକ ଚିତ୍ର ଉପହାର ସ୍ବରୂପ ଦେଇଥିଲେ ।