ହଜି ଯାଇଥିବା କୁନି ବନ୍ଧୁ ଆଜି ଘରକୁ ଲେଉଟିଛି, ପୁଣି ସୁଭିଛି ଘର ଆଗରେ କିଚିରି ମିଚିର ଶବ୍ଦ

ବରଗଡ଼: ପୁଣି ଶୁଭିଛି କିଚିରି ମିଚିରି ଶବ୍ଦ । କଂକ୍ରିଟ ଜଙ୍ଗଲରେ ହଜିଯାଇଥିବା କୁନି ବନ୍ଧୁର ଆଜି ଲେଉଠାଣି ହୋଇଛି । ଉଦାସିଆ ମନ ଆଜି ପୁଣି ତାଙ୍କ ସ୍ୱର ଶୁଣି ତାଜା ହୋଇଛି । ହଜିଥିବା କୁନି ବନ୍ଧୁ ଉଡ଼ିଆସିି ପୁଣି ଘର ଆଗରେ ବସୁଛି । କାହିଁ କେଉଁ କାଳରୁ ମଣିଷ ସହ ସଂପର୍କ ତାର । ପରିବାରର ସଦସ୍ୟ ପରି ସେ । ତାର ସ୍ଥାନ ଘରର ଆଗରେ ଥିବା ଚାଳିଆର ଫାଙ୍କ କି ଆଜବେଷ୍ଟ ତଳେ କୁନି କୁଡ଼ିଆ । ଘରର ଆଗରେ ରହୁଥିବାରୁ ନାଁ ତାର ଘରଚଟିଆ । ବଦଳୁଛି ସମୟ, ଆଉ ନାହିଁ ସେଇ ଚାଳଛପର ଘର କି ବଡ଼ବଡ଼ ତାଳଗଛ । ଚାରିଆଡେ କଂକ୍ରିଟର ଜଙ୍ଗଲ । ତେବେ ଏହାରି ଭିତରେ ଲୋପ ପାଇଗଲେଣି ଅନେକ ପ୍ରଜାତିର ପ୍ରାଣୀ । ସେଥିମଧ୍ୟରୁ ଘର ଚଟିଆ ହେଉଛି ଅନ୍ୟତମ ।

କିନ୍ତୁ କରୋନା ମହାମାରୀ ପ୍ରକୃତି ଓ ପରିବେଶ ପାଇଁ ସାଜିଛି ବରଦାନ । ଦୀର୍ଘ ମାସ ଧରି ଲାଗିରହିଥିବା ଲକଡାଉନ ଯୋଗୁଁ ଅସଂଖ୍ୟ ଯାନବାହାନ ଓ କଳକାରଖାନା ବନ୍ଦ ହୋଇପଡିଥିଲା । ସେଥିପାଇଁ ଜଳ ଓ ବାୟୁ ପ୍ରଦୂଷଣ ବହୁତ କମ ହୋଇଯାଇଛି । ଯାହାଫଳରେ ବହୁ ବର୍ଷ ପରେ ଶୁଣିବାକୁ ମିଳିଛି କିଚିରିମିଚିରି ଶବ୍ଦ । ବିଲୁପ୍ତ ପ୍ରାୟ ଘର ଚଟିଆଙ୍କୁ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ମାତ୍ରାଧିକ ନହେଲେ ମଧ୍ୟ ଅଳ୍ପ ସଂଖ୍ୟକ ଘର ଚଟିଆ ବରଗଡ ଜିଲ୍ଲା ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛନ୍ତି । ଯାହାକୁ ଦେଖି ପରିବେଶ ପ୍ରେମୀଙ୍କ ମଧ୍ୟରେ ଖୁଶିର ଲହରୀ ଖେଳିଯାଇଛି । ତାଙ୍କରି କିଚିରି ମିଚିରି ସ୍ଵରରେ ପରିବେଶ ହୋଇଉଠୁଥିଲା ଚଳଚଞ୍ଚଳ ।

ଆଜି କିନ୍ତୁ ମଣିଷ ଜୀବନର ପରିବର୍ତ୍ତନ ଯୋଗୁଁ ମଣିଷ ଠାରୁ ଦୂରେଇ ଯାଇଛନ୍ତି ଏହି ଘରଚଟିଆ । ଚାଷବାସରେ ଅଧିକ ମାତ୍ରାରେ କୀଟନାଶକ ବ୍ୟବହାର କାରଣରୁ କୀଟ ଓ ପୋକ ଅଭାବ ହେବାରୁ ଖାଦ୍ୟ ମିଳିଲା ନାହିଁ ଘରଚଟିଆକୁ । ଅନ୍ୟପଟେ  ଚାଳ ଘରରୁ ପକ୍କା ଘର ପରିବର୍ତ୍ତନ  ।  ଅତ୍ୟଧିକ ଯାନବାହାନ ଚଳାଚଳ ଏବଂ ମୋବାଇଲ ଟାୱାର ର କୁପ୍ରଭାବ ସହିତ ବିଭିନ୍ନ କଳ କାରଖାନାରୁ ନିର୍ଗତ ଧୂଆଁ ଯୋଗୁଁ ଯେଉଁଥିପାଇଁ ଆଗପରି ଆଉ ଘରଚଟିଆ ଦେଖିବାକୁ ମିଳୁନାହାନ୍ତି । ହୁଏତ ମଣିଷର ଆଧୁନିକତା କୁ ନାପସନ୍ଦ କରି ମଣିଷ ଠାରୁ ନିଜକୁ ଦୂରେଇ ନେଇଛନ୍ତି ଏହି ଘର ଚଟିଆ ହଜାର ହଜାର ପ୍ରଥମେ ସହରାଞ୍ଚଳରେ ଉଭାନ ହେବା ପରେ ଧୀରେ ଧୀରେ ଗ୍ରାମାଞ୍ଚଳ ମାନଙ୍କରୁ ମଧ୍ୟ ସଂପୂର୍ଣ୍ଣ ଉଭାନ ହୋଇଯାଇଥିଲେ  ।

Leave a Reply