ଅଗ୍ନିକୁଲ କସମସ୍ ଲେଖିବ ନୂଆ ଇତିହାସ, ଉତକ୍ଷେପଣ ହେବ ଟେଷ୍ଟ ରକେଟ୍ ଅଗ୍ନିବାଣ

1 min read

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ଷ୍ଟାର୍ଟଅପ କମ୍ପାନୀ ଅଗ୍ନିକୁଲ କସମସ୍ ଲେଖିବ ନୂଆ ଇତିହାସ। ଉତକ୍ଷେପଣ ହେବ ଟେଷ୍ଟ ରକେଟ୍ ଅଗ୍ନିବାଣ। ୭ କେଜି ପେଲୋଡ୍ ନେଇ ୨୦ କିଲୋମିଟର ଉପରକୁ ଉଠି ବଙ୍ଗୋପ ସାଗରକୁ ଖସିବ ରକେଟ ଅଗ୍ନିବାଣ। ଆସନ୍ତାକାଲି ଏହି  ପରୀକ୍ଷାମୂଳକ ରକେଟର ଉତକ୍ଷେପଣ ହେବ। ଚେନ୍ନାଇ ସ୍ଥିତ ଅଗ୍ନିକୁଲ କସମସ କମ୍ପାନୀ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରର ପ୍ରାଇଭେଟ ପ୍ରକ୍ଷେପଣ କେନ୍ଦ୍ରରୁ ଏହି ଟେଷ୍ଟ ରକେଟର ପରୀକ୍ଷଣ କରିବ। ଥ୍ରୀଡି ପ୍ରିଣ୍ଟେଡ୍ ରକେଟ୍ ଅଗ୍ନିବାଣ ସବ ଅର୍ବିଟାଲ ଟେକ୍ନୋଲଜି ଡେମନଷ୍ଟ୍ରେଟର SORTEDର ପରୀକ୍ଷାମୂଳକ ଉତକ୍ଷେପଣ ଲାଗି ସମସ୍ତ ପ୍ରସ୍ତୁତି କରିଛି। ଏହା ସମ୍ପୂର୍ଣ୍ଣ ଭାବେ ଥ୍ରୀଡି ପ୍ରିଣ୍ଟେଡ୍ ସିଙ୍ଗଲ ପିସ୍ ୬ କେଏନ୍ ସେମି କ୍ରାୟୋଜେନିକ ଇଂଜନ।

ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଅଗ୍ନିକୁଲ ମିଶନ ନିୟନ୍ତ୍ରଣ କେନ୍ଦ୍ର AMCCରେ ସତୀଶ ଧାୱନ ମହାକାଶ କେନ୍ଦ୍ରର ନିର୍ଦ୍ଦେଶକ ଏ. ରାଜାରାଜନଙ୍କ ସହ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ମିଶନ ଆରମ୍ଭ କରାଯାଇଥିଲା। ଅଗ୍ନିକୁଲ ବ୍ୟବହାର କରୁଥିବା ଟେଷ୍ଟ ରକେଟ୍ ପ୍ରକ୍ଷେପଣ ସଫଳ ହେଲେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ଅଗ୍ନିକୁଲ। ଏଥିରେ ବ୍ୟବସାୟିକ ଭାବେ ଉପଲବ୍ଧ ହେଉଥିବା ଏଭିଏସନ ଟର୍ବାଇନ ଇନ୍ଧନ କିମ୍ବା କିରୋସିନ ଏବଂ ମେଡିକାଲ ଗ୍ରେଡର ତରଳ ଅକ୍ସିଜେନର ବ୍ୟବହାର କରାଯାଉଛି। ଭାରତୀୟ ମହାକାଶ ଗବେଷଣା କେବେବି ଏଭଳି ଇଂଜିନର ବ୍ୟବହାର କରିନାହିଁ। ଭାରତରେ କୌଣସି ଘରୋଇ କମ୍ପାନୀ ମଧ୍ୟ ଏଭଳି ଇଂଜିନର ବ୍ୟବହାର କରୁନାହିଁ। ଅଗ୍ନିକୁଲ ଭାରତର ଘରୋଇ ସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀ।

ସୂଚନାଯୋଗ୍ୟ, ୨୦୧୭ରେ ଭାରତୀୟ ସ୍ପେସ୍ ଷ୍ଟାର୍ଟଅପ କମ୍ପାନୀ ଅଗ୍ନିକୁଲ କସମସ୍ ପ୍ରତିଷ୍ଠା ହୋଇଥିଲା। ଦୁଇ ଜଣ ଯୁବ ଏରୋସ୍ପେସ୍ ଇଂଜିନିୟର ଏହି କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏହି ପ୍ରକ୍ଷେପଣ ସଫଳ ହେଲେ ଭାରତର ଦ୍ଵିତୀୟ ଘରୋଇ ସ୍ପେସ ଷ୍ଟାର୍ଟଅପ୍ ହେବ ଅଗ୍ନିକୁଲ କସମସ। ଏହା ପୂର୍ବରୁ ସ୍କାଇରୁଟ୍ ଏରୋସ୍ପେସ୍ ସବ-ଅର୍ବିଟାଲ ରକେଟ ବିକ୍ରମ-ଏସ ପଠାଇବାରେ ଦେଶର ପ୍ରଥମ ଘରୋଇ କମ୍ପାନୀ ଥିଲା।