ଭରାନଈର ପ୍ରଖରସ୍ରୋତ ଡେଇଁ ସଜାଡ଼ିଲେ ବିଦ୍ୟୁତ୍

1 min read

ମାଲକାନଗିରି: ଭୂତାଣୁ ସହ ଲଢୁଛି ସାରା ବିଶ୍ୱ । ଦିନରାତି ଏକ କରି କରୋନା ସହ ଲଢୁଛନ୍ତି ଯୋଦ୍ଧା । କିଏ ବାଜି ଜିତୁଛି, କାହାକୁ ବନ୍ଦୀ ସଜାଉଛି ଭୂତାଣୁ । ଏ କୋଳାହଳ ଭିତରେ ଏମାନେ ବି ଜଣେ ଜଣେ ଯୋଦ୍ଧା । ଯିଏ କେବଳ ବାଜି ଜିତିନାହାନ୍ତି, ଅନ୍ଧାରୀ ରାଇଜର ଲୋକଙ୍କ ଜୀବନରେ ଦେଖାଇଛନ୍ତି ଆଶାର ଆଲୋକ । ପ୍ରତିକୂଳ ପରିସ୍ଥିତିରେ ୨୦ ଗାଁକୁ ଆଲୋକିତ କରିଛନ୍ତି ।

କିଏ ରୋଗ ସହ ଲଢୁଛି, କିଏ ଦାୟିତ୍ୱବୋଧ ପାଇଁ ବାଜିରେ ଲଗାଉଛି ଜୀବନ । ହେଲେ ଆଜିର ଏ ଯୋଦ୍ଧା ମାନଙ୍କ କାହାଣୀ କିଛି ଭିନ୍ନ । ଆଗଧାଡ଼ିର ଯୋଦ୍ଧା ନହେଲ ବି ଉତ୍ସର୍ଗୀକୃତ ସେବା ସେମାନଙ୍କୁ ସଜାଇଛି ଯୋଦ୍ଧା । ଉପାନ୍ତର ଅପନ୍ତରା ଗାଁରୁ ସେମାନେ ଦୂର କରିଛନ୍ତି ଅନ୍ଧାର । ଭରାନଈର ପ୍ରଖରସ୍ରୋତ ଡେଇଁ ବିଦ୍ୟୁତ ସମସ୍ୟାର ସମଧାନ କରିଛନ୍ତି । ମାଲକାନଗିରି ଜିଲ୍ଲା ଏମଭି-7 ଫିଡର ଅନ୍ତର୍ଗତ ଏମଭି-16 ଗାଁ ଦୁଇ ଦିନ ହେଲା ଗଛପଡ଼ି ବିଦ୍ୟୁତ ତାର ଛିଣ୍ଡିପଡ଼ିଥିଲା । ଅନ୍ଧାରରେ ରହିଥିଲା ୨୦ ଖଣ୍ଡ ଗାଁ । ଏ ସଂପର୍କରେ ଖବର ପାଇବା ପରେ ସାଉଥକୋ ଶଙ୍କର ପାତ୍ର, ତ୍ରିଲୋଚନ ସାହୁ, ଏମ୍.ମନ୍ମଦ ଓ ଶୁକ୍ରା ଶିଶା ସମସ୍ୟାର ସମାଧାନ ପାଇଁ ଲାଗିପଡ଼ିଥିଲେ । ଭରା ନଈ ଡେଇଁ ସଜାଡିଥିଲେ ଛିଣ୍ଡା ତାର ।

ଗୋଟିଏ ପଟେ ସଂକ୍ରମଣର ଭୟ, ଅନ୍ୟପଟେ ଅନ୍ଧାରୀ ମୂଲକର ଚିନ୍ତା । ଯାହା ଏ ଯୋଦ୍ଧାମାନଙ୍କୁ ଜୀବନକୁ ବାଜିରେ ଲଗାଇବାକୁ ଯୋଗାଇଥିଲା ଖୋରାକ । ସେପଟେ ଯୋଦ୍ଧାଙ୍କ ମହତ କାମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି । ଦିନେ ନା ଦିନେ କରୋନା ପଳାଇବ । ଭୂତାଣୁ ମୁକ୍ତ ହୋଇଯିବ ସାରାଦେଶ । ମାତ୍ର ଯୋଦ୍ଧାଙ୍କ ଏ ଉତ୍ସର୍ଗୀକୃତ ସେବାକୁ ସବୁଦିନେ ମନେରଖିବ ଉପାନ୍ତର ଏ ଅପନ୍ତରା ଗାଁ ।

(ମାଲକାନଗିରିରୁ ଈଶ୍ୱର ପଟ୍ଟନାୟକ)

Leave a Reply