ଭାରତୀୟ ଟିମକୁ ଗୁଆହାଟୀ ଟେଷ୍ଟ ମ୍ୟାଚରେ ଜିତିବା ଜରୁରୀ ହୋଇଥିବା ବେଳେ ଏପରି ସ୍ଥିତିରେ ଦକ୍ଷିଣ ଆଫ୍ରିକା ରନର ପାହାଡ଼ ଛିଡ଼ା କରିଛି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୪୮୯ ରନ୍ ସଂଗ୍ରହ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ସେନୁରନ ମୁଥୁସାମୀ ଶତକ ଅର୍ଜନ କରିଛନ୍ତି । ସେହିପରି ମାର୍କୋ ଜନସେନ ୯୩ ରନ୍ ସଂଗ୍ରହ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏଡେନ ମର୍କରାମ ୩୮, ରୟାନ ରିକେଲଟନ ୩୫, ଟ୍ରିଷ୍ଟନ ଷ୍ଟବସ ୪୯, ଟେମ୍ବା ବାଭୁମା ୪୧, କାଇଲ ଭେରେୟିନେ ୪୫ ରନ୍ ସଂଗ୍ରହ କରିଥିଲେ । ଆଜିର ମ୍ୟାଚରେ ସମସ୍ତ ଦକ୍ଷିଣ ଆଫ୍ରିକା ଖେଳାଳି ରନ୍ ସଂଗ୍ରହ କରିବା ଫଳରେ ଦଳର ସ୍ଥିତି ସୁଦୃଢ଼ ହୋଇପାରିଥିଲା ।
ଅନ୍ୟପକ୍ଷରେ ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧକ ୪ଟି ଓ୍ବିକେଟ ହାସଲ କରିଥିଲେ । ଯଶପ୍ରୀତ ବୁମ୍ରା ୨ଟି, ମହମ୍ମଦ ସିରାଜ ୨ଟି ଓ ରବିନ୍ଦ୍ର ଜାଡ଼େଜା ୨ଟି ଓ୍ବିକେଟ ନେଇଥିଲେ । ଆଜି ମ୍ୟାଚର ଦ୍ବିତୀୟ ଦିନ ହୋଇଥିବା ବେଳେ ମ୍ୟାଚର ଫଳାଫଳ ଉପରେ ସଭିଙ୍କ ନଜର ରହିଛି । ପ୍ରଥମ ଟେଷ୍ଟରେ ଭାରତ ୩୦ ରନରେ ପରାଜୟବରଣ କରିଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକା ସିରିଜରେ ୧-୦ରେ ଆଗୁଆ ରହିଛି । ଭାରତ ପକ୍ଷରୁ ଦୁଇ ଓପନର କେଏଲ ରାହୁଲ (୨) ଓ ଯଶସ୍ବୀ ଜୟସ୍ବାଲ (୭) ବ୍ୟାଟିଂ ଜାରି ରଖିଛନ୍ତି ।

