ଦ୍ୱିତୀୟ ଇନିଂସରେ ଭାରତ ୨୬୬ ରନରେ ଅଲଆଉଟ, ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ

1 min read

ଜୋହାନ୍ସବର୍ଗ: ଜୋହାନ୍ସବର୍ଗରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଜାରି ରହିଛି । ଏହି ମ୍ୟାଚରେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଆଗରେ ଭାରତ ୨୪୦ ରନର ବିଜୟ ଲକ୍ଷ୍ୟ ରଖିଛି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୨୬୬ ରନ କରିଥିଲା । ଯାହା ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୪୦ ରନର ବିଜୟ ଲକ୍ଷ୍ୟ ଦେଇଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଆଜିଙ୍କେ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ଫଳରେ ଭାରତ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଛି । ଦ୍ୱିତୀୟ ଇନିଂସରେ ରାହାଣେ ୫୮ ରନ କରିଥିବାବେଳେ ପୂଜାରା ୫୩ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କଗିସୋ ରାବଡା, ମାର୍କୋ ଜନସନ ଓ ଲୁଙ୍ଗି ଏଙ୍ଗିଡି ତିନୋଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିବାବେଳେ ଓଲିଭର ଗୋଟିଏ ଓ୍ୱିକେଟ ଅକ୍ତିଆର କରିଥିଲେ ।

ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । କେଏଲ ରାହୁଲ ଓ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ପାରିନଥିଲେ । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସନ ୪ଟି ଓ୍ୱିକେଟ ନେଇଥିବାବେଳେ କଗିସୋ ରାବାଡା ଓ ଓଲିଭର ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଇନିସଂରେ ବଡ଼ ସ୍କୋର କରି ପାରିନଥିଲା । ଭାରତୀୟ ବୋଲିଂ ଆଟାକ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲା ଦକ୍ଷିଣ ଆଫ୍ରିକା । ଯାହା ଫଳରେ ପ୍ରଥମ ଇନିଂସରେ ମାତ୍ର ୨୦୨ ରନରେ ଅଲଆଉଟ ହୋଇଥିଲା ଦକ୍ଷିଣ ଆଫ୍ରିକା । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସାତଟି ଓ୍ୱିକେଟ ନେଇଥିବାବେଳେ ମହମ୍ମଦ ଶାମି ଦୁଇଟି ଓ ଜଶପ୍ରୀତ ବୁମ୍ରା ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ ।

 

Leave a Reply