ବିସିସିଆଇ ସଭାପତି ପଦରୁ ଗାଙ୍ଗୁଲିଙ୍କ ଇସ୍ତଫା ନେଇ ଚର୍ଚ୍ଚା, ଖଣ୍ଡନ କଲେ ଜୟ ଶାହା

1 min read

କୋଲକାତା: ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ସୌରଭ ଗାଙ୍ଗୁଲି । ଆଜି ଦାଦା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗାଙ୍ଗୁଲିଙ୍କ ଟ୍ୱିଟ୍‌ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ନାହାନ୍ତି ବୋଲି କହିଛନ୍ତି ଜୟ ଶାହା ।

ସୌରଭ ଗାଙ୍ଗୁଲି ଆଜି ଟ୍ୱିଟ କରି କହିଛନ୍ତି “୧୯୯୨ରେ ମୁଁ ଆରମ୍ଭ କରିଥିବା କ୍ରିକେଟ କ୍ୟାରିୟରକୁ ୨୦୨୨ରେ ୩୦ ବର୍ଷ ପୂରିଛି । କ୍ରିକେଟ ମୋତେ ବହୁତ କିଛି ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରିକେଟ ଯୋଗୁ ଆପଣମାନଙ୍କ ସମର୍ଥନ ମିଳିଛି । ଏହି ଯାତ୍ରାରେ ସାମିଲ ଥିବା ପ୍ରତିଟି ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଆଜି ମୁଁ ଯେଉଁଠି ବି ପହଞ୍ଚିଛି, ସବୁ କିଛି ଆପଣମାନଙ୍କ ସମର୍ଥନ ଓ ସହଯୋଗ ପାଇଁ ସମ୍ଭବ ହୋଇ ପାରିଛି। ଆଜି ମୁଁ କିଛି ଅଲଗା ଯୋଜନା ଆରମ୍ଭ କରିବାକୁ ଯାଉଛି, ଯେଉଁଠି ବହୁତ ଲୋକଙ୍କ ସମର୍ଥନ ଜରୁରୀ। ମୁଁ ମୋ ଜୀବନର ନୂଆ ଅଧ୍ୟାୟରେ ପ୍ରବେଶ କରିବା ପରେ ଆପଣମାନଙ୍କ ସମର୍ଥନ ଜାରି ରହିବ ବୋଲି ମୋର ଆଶା।”