କୋହଲିଙ୍କ ବିନା ଭାରତ ଏସିଆ କପ୍ ଜିତିଥିଲା: ସୌରଭ ଗାଙ୍ଗୁଲି

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଆରମ୍ଭ ହେବାକୁ ଯାଉଛି ରୋହିତ ଯୁଗ । ଗତ ବୁଧବାର ଦିନିକିଆରେ ବିରାଟ କୋହଲିଙ୍କ ପରିବର୍ତ୍ତେ ରୋହିତ ଶର୍ମାଙ୍କୁ ମିଳିଛି ଅଧିନାୟକ ଦାୟିତ୍ୱ । ଟି-୨୦ ଅଧିନାୟକ ପଦ ପୂର୍ବରୁ ଛାଡି ସାରିଥିଲେ ବିରାଟ । ଏବେ କେବଳ ଟେଷ୍ଟ କ୍ରିକେଟରେ ଭାରତର ନେତୃତ୍ୱ ନେଉଛନ୍ତି ବିରାଟ କୋହଲି । ଟି-୨୦ରେ ଅଧିନାୟକ ପଦ ଛାଡିବା ପରେ ବିରାଟ କୋହଲି କହିଥିଲେ କି ସେ ଟେଷ୍ଟ ଓ ଦିନିକିଆରେ ଅଧିନାୟକତ୍ୱ ଜାରି ରଖିବେ । କିନ୍ତୁ ବିସିସିଆଇ ସୀମିତ ଓଭର କ୍ରିକେଟରେ ଦୁଇ ଜଣ ଅଧିନାୟକଙ୍କୁ ରଖିବା ସପକ୍ଷରେ ନଥିଲେ ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି କି ଟି-୨୦ରୁ ଅଧିନାୟକ ପଦ ନ ଛାଡିବା ପାଇଁ ଆମେ ବିରାଟ କୋହଲିଙ୍କୁ ଅନୁରୋଧ କରିଥିଲୁ । କିନ୍ତୁ ବିରାଟ ଟି-୨୦ରୁ ଅଧିନାୟକ ପଦ ଛାଡିଥିଲେ । ଗାଙ୍ଗୁଲି ରୋହିତଙ୍କ ଅଧିନାୟକତ୍ୱ ଦକ୍ଷତା ନେଇ ମଧ୍ୟ କହିଛନ୍ତି । ଗାଙ୍ଗୁଲି କହିଛନ୍ତି ଅଧିନାୟକ ଭାବରେ ରୋହିତ ଶର୍ମାଙ୍କ ଦମଦାର ରେକର୍ଡ ରହିଛି । ଯେଉଁଥି ପାଇଁ ରୋହିତ ଶର୍ମାଙ୍କୁ ଚୟନ କର୍ତ୍ତା ଦିନିକିଆରେ ଅଧିନାୟକ ପଦରେ ନିଯୁକ୍ତି ଦେଇଛନ୍ତି । ଗାଙ୍ଗୁଲି ଆହୁରି କହିଛନ୍ତି କି ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମାଙ୍କ ଦମଦାର ରେକର୍ଡ ରହିଛି । ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ ଥର ଟ୍ରଫି ଜିତିଛି । କିଛି ବର୍ଷ ପୂର୍ବେ ରୋହିତ ଏସିଆ କପରେ ମଧ୍ୟ ଭାରତର ନେତୃତ୍ୱ ନେଇଥିଲେ ଏବଂ ଭାରତ ଏହି ଟ୍ରଫି ମଧ୍ୟ ଜିତିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି ଖେଳୁନଥିଲେ । ବିରାଟଙ୍କ ଅନୁପସ୍ଥିତିରେ ମଧ୍ୟ ଭାରତ ଟ୍ରଫି ଜିତିଥିଲା । ତେଣୁ ରୋହିତଙ୍କ ପାଖରେ ଏବେ ଏକ ଭଲ ଟିମ୍ ରହିଛି । ଆଶା କରାଯାଉଛି କି ରୋହିତ ଏହି ଟିମକୁ ନେଇ ଆଗକୁ ଯାଇପାରିବେ ।

 

Leave a Reply