ଗଣମାଧ୍ୟମ ଓ ନିଜ ପ୍ରତିପତିକୁ ଢା଼ଲ କରି ସୌମ୍ୟ ଚଳାଇଥିବା ସ୍କାମ୍ ଏବେ ପଦାରେ ପଡ଼ିଛି

ଭୁବନେଶ୍ୱର: ଆଇନ ସମସ୍ତଙ୍କ ପାଇଁ ସମାନ। ହେଲେ ଇଷ୍ଟର୍ଣ୍ଣ ମିଡିଆ ପରି ଗଣମାଧ୍ୟମ ଓ ଏହାର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ଭବତଃ ଭାବିଥିଲେ ଗଣମାଧ୍ୟମ ପାଇଁ ସାତ୍‌ଖୁନ୍ ମାଫ୍ ବୋଲି। କିନ୍ତୁ ସବୁବେଳେ ସତ୍ୟର ବିଜୟ ହୋଇଛି। ଆଇନର ବିଜୟ ହୋଇଛି। ଗଣମାଧ୍ୟମ ଓ ନିଜ ପ୍ରତିପତିକୁ ଢା଼ଲ କରି ସୌମ୍ୟରଞ୍ଜନ ଯେଉଁ ସ୍କାମ୍ ଚଳାଇଥିଲେ ତାହା ଏବେ ପଦାରେ ପଡ଼ିବା ପରେ ସେ ଭୟଭୀତ ହୋଇ ବିଭିନ୍ନ ବର୍ଗର ପ୍ରତିକ୍ରିୟା ନେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ଗଣମାଧ୍ୟମର କଣ୍ଠରୋଧ କରିବା ଗଣତନ୍ତ୍ର ପାଇଁ ବିପଦ ଏହା ନିଃସନ୍ଦେହ।

କିନ୍ତୁ ଗଣମାଧ୍ୟମକୁ ଢ଼ାଲ କରି କିଛି ସଂଗଠିତ ଅପରାଧ ଚାଲିଥାଏ, ତାହା କଣ ଗଣମାଧ୍ୟମର ସମ୍ମାନ ଓ ଅଧିକାର ଦାବି କରିପାରିବ କି ? ସମ୍ବାଦ ଓ କନକ ନ୍ୟୁଜ୍‌କୁ ଯେଉଁମାନେ ପ୍ରତିକ୍ରିୟା ଦେଇଛନ୍ତି, ସେମାନେ ସମସ୍ତେ ଗଣମାଧ୍ୟମର ସ୍ବାଧୀନତା ନେଇ ଉଦବେଗ ପ୍ରକାଶ କରୁଛନ୍ତି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସେମାନେ ହୁଏତ ଜାଣିନାହାନ୍ତି ଯେ, ସମ୍ବାଦ, କନକନ୍ୟୁଜ୍‌ ଏବଂ ରେଡିଓ ଚକୋଲେଟ୍‌ରେ କାମ କରୁଥିବା କର୍ମଚାରୀ କେଉଁଭଳି ଠକାମିର ଶିକାର ହୋଇଛନ୍ତି। ଆଉ ଏହି ଠକେଇ ଅନ୍ୟ କେହି ନୁହେଁ ଖୋଦ୍ ମାଲିକ ତଥା ମୁଖ୍ୟ ସମ୍ପାଦକଙ୍କ ନିର୍ଦ୍ଦେଶରେ ଆଉ ମାନବ ସମ୍ବଳ ବିଭାଗ ଅଧିକାରୀଙ୍କ ମାର୍ଫତରେ ଦୀର୍ଘ ବର୍ଷ ହେଲା ଚାଲିଆସିଛି।

୧୯୮୪ ମସିହାରେ ସମ୍ବାଦ ପ୍ରତିଷ୍ଠା ହେବା ପରଠୁ ଏହି ଋଣ ଘୋଟାଲା ତାର କାୟା ବିସ୍ତାର କରିଆସିଛି। ବହୁ କର୍ମଚାରୀ ଏହି ଋଣ ଜାଲରେ ରୁନ୍ଧି ହୋଇ ତଳି ତଳାନ୍ତ ହୋଇଛନ୍ତି। ଋଣ ନେବାକୁ ମନା କରୁଥିବା କର୍ମଚାରୀଙ୍କୁ ନାନା ଭାବରେ ନିର୍ଯାତନାର ଶିକାର ହେବାକୁ ପଡ଼ିଛି। କିଛି ପୂର୍ବତନ କର୍ମଚାରୀ ମଧ୍ୟ ସମ୍ବାଦ ସପକ୍ଷରେ ଠିଆ ହେବାକୁ ଆଗଭର ହୋଇଛନ୍ତି। କିନ୍ତୁ ସେମାନେ ନିଜକୁ ନିଜେ ଥରେ ପଚାରନ୍ତୁ କେଉଁଭଳି ନିର୍ଯାତନାର ଶିକାର ହୋଇଥିଲେ। ଆଜି କେଉଁ ପ୍ରଲୋଭନରେ ସେ ନିର୍ଯାତନାକୁ ସେମାନେ ଭୁଲିଗଲେ? ବାହାରର ଯେଉଁମାନେ ତଦନ୍ତକୁ ବିରୋଧ କରୁଛନ୍ତି, ସେମାନେ ଯଦି ବାସ୍ତବରେ ଗଣମାଧ୍ୟମର ସ୍ବାଧୀନତା ପାଇଁ ଉଦବିଗ୍ନ ହୋଇଥାନ୍ତେ ତାହେଲେ ଗଣମାଧ୍ୟମକୁ ଢ଼ାଲ କରି ଯେଉଁ ସଂଗଠିତ ଅପରାଧ ଚାଲିଛି ତାଆଡ଼କୁ ଥରେ ଚାହିଁଥାନ୍ତେ।

ଧରିନିଆଯାଉ ଇଷ୍ଟର୍ଣ୍ଣ ମିଡିଆ ଏଭଳି କୌଣସି ଅପରାଧ କରିନାହିଁ, ଯଦି ଅପରାଧ କରିନାହିଁ, ତାହେଲେ ତଦନ୍ତକୁ ଭୟ କାହିଁକି? କିଛି ଭଡ଼ାଟିଆଙ୍କୁ ପ୍ଲାକାର୍ଡ ଧରି ଠିଆ କରାଇଛନ୍ତି କାହିଁକି? ଗଣମାଧ୍ୟମ ଅଫିସରେ ଯଦି ଅପରାଧ ସଂଗଠିତ ହୋଇଛି ସେଠିକୁ ତଦନ୍ତ ପାଇଁ ପୋଲିସ ଯିବା ଦ୍ବାରା ଗଣମାଧ୍ୟମର କିଭଳି କଣ୍ଠରୋଧ ହେଲା ତାହା ବୁଝାପଡୁନାହିଁ। ସୌମ୍ୟବାବୁ ଯଦି ଏତେ ସଚ୍ଚୋଟ ତାହେଲେ ଗୋଟିଏ ସତ କଥା କହିବେ କି? କର୍ମଚାରୀଙ୍କ ନାଁରେ ଋଣ କରି ସେ ଟଙ୍କା ହଡ଼ପ କରିଛନ୍ତି କି ନାହିଁ? ଗୋଟିଏ ପ୍ରଶ୍ନର ଯଦି ସେ ଉତ୍ତର ଦିଅନ୍ତେ ତାହେଲେ ସମସ୍ତେ ବୁଝିପାରନ୍ତେ ଭଦ୍ରମୁଖା ତଳେ କେମିତି ଗୋଟେ ଶୋଷକ ଲୁଚି ରହିଛି।

ଖାଲି ଋଣ କରି ଟଙ୍କା ହଡପ ନୁହେଁ, ବରଂ‌ ଏହି ଋଣ କରିବା ଲାଗି କାଗଜପତ୍ର ଜାଲିଆତି ଏବଂ ବ୍ୟାଙ୍କ ଅଧିକାରୀଙ୍କୁ ଉତ୍କୋଚ୍ଚ ଦେବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ତାଙ୍କ ନାଁରେ ଆସିଛି। ଏହାର ସ୍ପଷ୍ଟୀକରଣ ଦେବେ କି ସୌମ୍ୟରଞ୍ଜନ ପଟ୍ଟନାୟକ? ଅନ୍ୟ କାହାକୁ ବଦନାମ କରିବା ଲାଗି ମିଛ ସତ ଲେଖିବାକୁ ସେ ଯେଉଁ ଆମ ଘର ହାଲଚାଲ ସ୍ତମ୍ଭର ସହାୟତା ନିଅନ୍ତି ଏବେ ସେଇ ଆମ ଘର ହାଲଚାଲରେ ଲେଖିବେ କି ଋଣ କାରଣରୁ କେତେ କର୍ମଚାରୀଙ୍କର ସେ ଜୀବନ ନେଇଛନ୍ତି?