spot_img

Latest Posts

ବ୍ଲାକମେଲିଂ ପାଇଁ ଗଲା ସୌମ୍ୟଙ୍କ ଉପସଭାପତି ପଦ !

ଭୁବନେଶ୍ବର: ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପଦରୁ ହଟାଇଛନ୍ତି। ଗତ କିଛିଦିନ ଧରି ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ ସୌମ୍ୟ। ସଂପାଦକୀୟ ଆଳରେ ମିଛ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରୁଥିଲେ। ମନ୍ତ୍ରୀପଦ ଲୋଭରେ ନେତୃତ୍ବକୁ କରୁଥିଲେ ବ୍ଲାକମେଲ । ନା ଥିଲା ଦଳ ପ୍ରତି ଆନୁଗତ୍ୟ ନା ନେତୃତ୍ବ ପ୍ରତି କୃତଜ୍ଞତା । ନିଜର ରାଜନୈତିକ ଅଭିସନ୍ଧିକୁ ପୂରଣ କରିବାକୁ ଦଳକୁ କରୁଥିଲେ ବ୍ଲାକମେଲ । ଏଥିପାଇଁ ଦେଉଥିଲେ ଦଳ ବିରୋଧୀ ମନ୍ତବ୍ୟ । ଯେଉଁଥିପାଇଁ ତାଙ୍କ ବିରୋଧରେ ବିଜେଡି ସଭାପତି କାର୍ଯାନୁଷ୍ଠାନ ନେଇଛନ୍ତି ।

ବ୍ଲାକମେଲିଂ ପାଇଁ ଗଲା ପଦ ! ଉପସଭାପତି ପଦରୁ ସୌମ୍ୟ ବିଦା। ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ।  ବିଜେଡି ସୁପ୍ରିମୋଙ୍କ ବଡ଼ ଆକ୍ସନ୍ । କୌଣସି ପଦପଦବୀ କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ଲୋଭ ନଥିବା କହି ବିଜେଡିରେ ଯୋଗ ଦେଇଥିବା ସୌମ୍ୟଙ୍କ ରାଜନୈତିକ ଲାଳସାରେ ଲାଗିନଥିଲା ରୋକ୍ । ଯେଉଁଥିପାଇଁ ପ୍ରଥମେ ରାଜ୍ୟସଭା, ତାପରେ ବିଧାୟକ ଆଉ ବିଧାୟକ ହେବା ପରେ ମନ୍ତ୍ରୀ ପଦ ପାଇଁ ଲାଳାୟିତ ହୋଇଥିଲେ । ମନ୍ତ୍ରୀପଦ ଲୋଭ ହିଁ ତାଙ୍କୁ ବ୍ଲାକମେଲର ଭାବେ ଛିଡା କରାଇଥିଲା ।

ନେତୃତ୍ବକୁ ବ୍ଲାକ ମେଲ କରିବାକୁ ଆଲେଖ୍ୟ ମାଧ୍ୟମରେ ଦଳର ସବୁ ନିଷ୍ପତ୍ତିକୁ ଚ୍ୟାଲେଂଜ କରୁଥିଲେ । ଆଲେଖ୍ୟକୁ ଅସ୍ତ୍ର କରି ଦଳକୁ ବ୍ଲାକମେଲିଂ କରୁଥିଲେ। ଦଳରେ ରହି ଦଳ ବିରୋଧରେ ମତ, ମନ୍ତବ୍ୟ ଦେଇ ଗତ କିଛି ଦିନ ହେଲା ବିବାଦରେ ରହୁଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସ୍ବାର୍ଥ ପାଇଁ ସଂପାଦକୀୟରେ ଲେଖିଛନ୍ତି ସୁବିଧାବାଦର ଭାଷା। ବିନା ତଥ୍ୟ ପ୍ରମାଣରେ ଆଲେଖ୍ୟରେ ଆକ୍ଷେପ କରିଛନ୍ତି। ନିଜ ମାଲିକାନାରେ ଥିବା ଖବରକାଗଜକୁ ଢାଲ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି। ଆଉ ମିଛର ପ୍ରମାଣ ମାଗିଲେ ଚୁପ୍ ରହିଛନ୍ତି ସୌମ୍ୟ। ସୌମ୍ୟଙ୍କ ଏଭଳି ଦଳବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଛନ୍ତ ଖଣ୍ଡପଡାବାସୀ। ସେହିଭଳି ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସଂପାଦକ ମାନସ ମଙ୍ଗରାଜ କହିଛନ୍ତି, ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ।

ବିଜେଡି ଉପସଭାପତି ପଦରୁ ସୌମ୍ୟ ବିଦା ପ୍ରସଙ୍ଗରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି  । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ  । କୃତଜ୍ଞତା ନଥିଲେ ଈଶ୍ବର ସହାୟତା କରନ୍ତିନି ବୋଲି ପ୍ରଣବ କହିଛନ୍ତି । ପ୍ରଣବଙ୍କ ଏହି ଉକ୍ତିକୁ ସମୀକ୍ଷକ ବି ସମର୍ଥନ କରିଛନ୍ତି । କଂଗ୍ରେସରୁ ସାଂସଦ ହେଲେ, କିନ୍ତୁ ଦଳ ବିରୋଧୀ ଅଭିଯାନ କରି ବିଦା ହେଲେ । ବିଜେପିରେ ଥାଇ ବି ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା ହୋଇଥିଲେ । ରାଜନୈତିକ କ୍ୟାରିୟର ଆରମ୍ଭରୁ ସୌମ୍ୟ ରଂଜନ ଯେଉଁ ଦଳରେ ରହିଛନ୍ତି ସେହି ଦଳରେ ନେତୃତ୍ବ ବିରୋଧରେ ସ୍ବର ଉଠାଇଛନ୍ତି । ୨୦୧୮ ମାର୍ଚ୍ଚ ମାସରେ ବିଜେଡିରେ ଯୋଗ ଦେବା ସମୟରେ ସେ କହିଥିଲେ ଯେ, ସେ ପ୍ରତ୍ୟକ୍ଷ ରାଜନୀତି ପାଇଁ ଆଶାୟୀ ନୁହଁନ୍ତି । କେବଳ ଜନସଭା ପାଇଁ ବିଜେଡିରେ ଯୋଗ ଦେଇଥିବା କହିଥିଲେ । ଯେଉଁଥିପାଇଁ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । …

ଜନସେବା ପାଇଁ ବିଜେଡିରେ ଯୋଗ ଦେଇଥିବା ସୌମ୍ୟଙ୍କ ଅସଲ ଉଦ୍ଦେଶ୍ୟ ନଥିଲା ସେବା । ସେ ବିଜେଡିକୁ ଶିଢି କରି ନିଜର ରାଜନୈତିକ ସ୍ପପ୍ନକୁ ସାକାର କରିବାକୁ ଚେଷ୍ଟା କରୁଥିଲେ । ଯେଉଁଥିପାଇଁ ରାଜ୍ୟସଭା ସାଂସଦ ହେବା ପରେ ପୁଣି ଥରେ ବିଧାୟକ ହେବାକୁ ମନ ବଳାଇଥିଲେ । ଦିନକ ପାଇଁ ହେଲେ ବି ବିଧାୟକ ହେବାକୁ ଅଡି ବସିଥିଲେ ସୌମ୍ୟ । ତାଙ୍କ ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ୨୦୧୯ରେ ତାଙ୍କୁ ଖଣ୍ଡପଡାରୁ ପ୍ରାର୍ଥୀ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କ୍ରେଜ ଓ ବିଜେଡି ସରକାରର ବିକାଶମୂଳକ କାର୍ଯ୍ୟର ଫଳସ୍ବରୂପ ସୌମ୍ୟ ରେକର୍ଡ ସଂଖ୍ୟକ ଭୋଟରେ ଜିତିଥିଲେ । ନିର୍ବାଚନ ଜିତିବା ପରେ ତାଙ୍କ ଲୋଭ ପୁଣି ବଢିଥିଲା । ମନ୍ତ୍ରୀପଦ ପାଇଁ ଆରମ୍ଭ ହୋଇଥିଲା ଦାବି ।

ଏଥିପାଇଁ ସେ ବିଭିନ୍ନ ଢଙ୍ଗରେ ଦଳର ସୁପ୍ରିମୋ ଓ ନେତୃତ୍ବକୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ନିର୍ବାଚିତ ହେବା ପରେ ଗତ ସାଢେ ଚାରି ବର୍ଷ ମଧ୍ୟରେ ଥରେ ହେଲେ ନିର୍ବାଚନମଣ୍ଡଳୀକୁ ଯାଇନାହାଁନ୍ତି । ପୌର ଓ ପଂଚାୟତ ନିର୍ବାଚନରେ ବି ଦାୟିତ୍ବ ନେଇନଥିଲେ । ତାଙ୍କ ବିରୋଧରେ ବିଧାୟକ ହାତପାଣ୍ଠି ବିକ୍ରି ଅଭିଯୋଗ ମଧ୍ୟ ଆସିଥିଲା । ନିର୍ବାଚନମଣ୍ଡଳୀର ବିକାଶର ଦାୟିତ୍ବ ନେଉନଥିବା ନେତା ମନ୍ତ୍ରୀ ହେବାକୁ ଅଡିବସି ହତାସ ହେବା ପରେ ଆରମ୍ଭ କରିଥିଲେ ଦଳବିରୋଧୀ ଅଭିଯାନ ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସିଧାସଳଖ ଲୋକଙ୍କ ପାଖକୁ ଯାଉଛି। ଲୋକଙ୍କ ସମସ୍ୟା ବୁଝୁଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏସବୁ କଥା ଜାଣି ମଧ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ। ଏବେବି ସୌମ୍ୟଙ୍କ ହାତରେ ସମୟ ଅଛି, ଆଗକୁ ଯଦି ନିଜ ଆଭିମୁଖ୍ୟ ପରିବର୍ତ୍ତନ କରନ୍ତି, ତାହାଲେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରନ୍ତି । କିନ୍ତୁ ଆଭିମୁଖ୍ୟ ନବଦଳାଇଲେ, ବଡ଼ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ତେବେ ପ୍ରଶ୍ନ ଉଠୁଛି, ସ୍ବାର୍ଥ ପାଇଁ କେମିତି ଏତେ ତଳକୁ ଖସିଗଲେ ସୌମ୍ୟ? ଯେଉଁ ଦଳରୁ ସାଂସଦ, ବିଧାୟକ ହେଲେ, ତାକୁ କେମିତି ବ୍ଲାକମେଲିଂ କଲେ? କୃତଜ୍ଞତା ଦେବା ବଦଳରେ କୃତଘ୍ନ ହୋଇଗଲେ ସୌମ୍ୟ । ନିଜ ସ୍ବାର୍ଥ ପାଇଁ ଦଳୀୟ ଅନୁଶାସନକୁ ଭୁଲିଗଲେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦାକୁ ବି ପାଶୋରି ଦେଲେ । ନିଜ ମାଲିକାନାରେ ଥିବା ଖବରକାଗଜକୁ ଅସ୍ତ୍ର କରି ଲୋକଙ୍କୁ ଭୁଆଁ ବୁଲାଇବାକୁ କରୁଥିଲେ ହୀନ ପ୍ରୟାସ ।

 

Latest Posts

Don't Miss