ଗୁଣି ଗାରେଡ଼ି ସନ୍ଦେହରେ ତିନି ଜଣଙ୍କୁ ହତ୍ୟା ଘଟଣା, ଥାନାରେ ୯ ଅଟକ

1 min read

ସୋର: ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବରପଦା ଗାଁରେ ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ବିଭତ୍ସ ଭାବେ ଗଳା କାଟି ହତ୍ୟା କରିବା ପରେ ପାହାଡ଼ରେ ଶବ ଫିଙ୍ଗିବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଘଟଣାରେ ସଂପୃକ୍ତି ଅଭିଯୋଗରେ ୯ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାରେ ୧୪ରୁ ଅଧିକ ଲୋକ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଅନ୍ୟାମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଲାଇଛି ।

ତଥ୍ୟ ଅନୁସାରେ, ବରପଦା ଗାଁର ସମ୍ଭାରି ସିଂ, ଦାମ୍ପା ସିଂ ଏବଂ ତାଙ୍କ ପତ୍ନୀ ପାଗିଳି ସିଂଙ୍କୁ ଗତ ଜୁନ ମାସ ୩୦ ତାରିଖ ରବିବାର ରାତିରେ ଗାଁର କିଛି ଲୋକ ସଂଘବଧ ଆକ୍ରମଣ କରିଥିଲେ । ସେମାନେ ୩ ଜଣଙ୍କୁ ଠେଙ୍ଗାରେ ପିଟିବା ସହିତ ଗଳା କାଟି ହତ୍ୟା କରିଥିଲେ । ଏହାପରେ ଗାଁରୁ ୫ କିମି ଦୂରରେ ଥିବା ଦଲଦଲି ପାହାଡ଼ରେ ଶବ ଫିଙ୍ଗି ଦେଇଥିଲେ । ମୃତ ସମ୍ବାରି ସିଂଙ୍କ ପୁଅମାନେ ବାହାରେ ରହୁଛନ୍ତି । ମାଆ ନିଖୋଜ ଥିବା ଜାଣିବା ପରେ ତାଙ୍କ ବଡ଼ ପୁଅ ନିରଞ୍ଜନ ସିଂ ଘରକୁ ଆସି ଆଜି ଔପଦା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଔପଦା ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ତାଙ୍କ ଟିମ ନେଇ ଘଟଣାର ତଦନ୍ତ କରିବା ସହ ଖୋଜା ଖୋଜି କରି ପାହାଡରୁ ୩ ମୃତ ଦେହକୁ ଠାବ କରିଥିଲେ ।

ଘଟଣାର ସମ୍ପୃକ୍ତ ଥିବା ଅଭିଯୋଗରେ ୯ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ଘଟଣା ସ୍ଥଳରୁ ଏକ କୁରାଢ଼ି ଓ ବାଉଁଶ ଜବତ ହୋଇଛି । ଗୁଣି ଗାରେଡିକୁ କେନ୍ଦ୍ର କରି ଏଭଳି ହତ୍ୟା କାଣ୍ଡ ଘଟିଥିବା ନେଇ ସମ୍ଭାରୀର ଦୁଇ ପୁଅ ରାଜୁ ଓ ନିର ଅଭିଯୋଗ କରିଛନ୍ତି । ଘଟଣାରେ ୧୨ରୁ ୧୪ ଜଣ ବ୍ୟକ୍ତି ସମ୍ପୃକ୍ତ ଥିବା ନେଇ ନିର ଅଭିଯୋଗ କରିଛନ୍ତି l

ଗତ ରାତି ୧୨ଟା ୩୦ ମିନିଟରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ତିନି ଶବକୁ ପାହାଡ଼ ତଳକୁ ଆଣି ରାତି ୩ଟାରେ ସୋର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ଗୃହରେ ରଖିଛି l ବାହାରେ ବୁଲୁଥିବା ଅଭିଯୁକ୍ତମାନେ ନିର ଓ ରାଜୁ ପରିବାରକୁ ଫୋନ ଯୋଗେ ଧମକ ଦେଉଥିବା ଅଭିଯୋଗ ହୋଇଛି  l ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ  ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ନିର ଓ ରାଜୁ ଦାବି କରିଛନ୍ତି ।