ଜୀବନ ବଞ୍ଚାଉଛି BSKY ସ୍ମାର୍ଟ କାର୍ଡ: ହୃଦରୋଗର ନିଶୁଳ୍କ ଚିକିତ୍ସା କରାଇଲେ ସୋରର ଉମାକାନ୍ତ

1 min read

ସୋର: ଜୀବନ ଦେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ । ଚିକିତ୍ସା ପାଇଁ ଆଉ କାହା ନିକଟରେ ହାତ ପତାଇବାକୁ ପଡ଼ୁନି । ନା ଜମିବାଡି ବିକ୍ରି ହେଉଛି ନା ଘର ବନ୍ଧା ପଡ଼ିବାର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ଏହି ଯୋଜନା ଏବେ ଅଭାବୀ ଲୋକଙ୍କ ପାଇଁ ସାଜିଛି ସଞ୍ଜୀବନୀ । ଏହି ଯୋଜନା ବଳରେ ସ୍ୱାମୀଙ୍କୁ ସୁସ୍ଥ କରି ପାରିଛନ୍ତି ବାଲେଶ୍ୱର ଜିଲ୍ଲା ବାରାଯୋଡ଼ି ଗାଁର ଅହଲ୍ୟା । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି କୃତଜ୍ଞତା ।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ବାରାଯୋଡି ଗାଁର ଉମାକାନ୍ତ ମଲ୍ଲିକ । ଦିନ ମଜୁରିଆ ଉମାଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ଝିଅ । ଅଭାବୀ ପରିବାରକୁ ରୋଗ ସାଜିଥିଲା ଦାଉ । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ପରେ କଟକ ମେଡିକାଲରେ ଯାଞ୍ଚ କରି ହାର୍ଟରେ ବ୍ଲକେଜ ଥିବା ଜାଣିବାକୁ ପାଇଥିଲେ । ଅପରେସନ ପାଇଁ ଆବଶ୍ୟକ ଥିଲା ୨ ଲକ୍ଷ ଟଙ୍କା । ଶୁଣିବା ପରେ ସ୍ତ୍ରୀ ଅହଲ୍ୟାଙ୍କ ମୁଣ୍ଡରେ ଚଡକ ପଡିଥିଲା । ଉମା ରୋଗରେ ପଡ଼ିବା ପରେ ଝିଅର ପାଠପଢା ବି ବନ୍ଦ ହୋଇଗଲା । ହେଲେ ଏହି ଅଭାବୀ ପରିବାରକୁ ବରଦାନ ସାଜିଲା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା BSKY ସ୍ମାର୍ଟ କାର୍ଡ । ଆଜି ଏହି କାର୍ଡ ବଳରେ ଉମା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିପାଇଁ ଲୋତକପୂର୍ଣ୍ଣ ଆଖିରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅହଲ୍ୟା ।

ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ମାଗଣାରେ ହୋଇଛି ଉମାଙ୍କ ଅପରେସନ । ଏଥିପାଇଁ ଏକଲକ୍ଷ ୯୭ ହଜାର ଟଙ୍କା ଯୋଗାଇଛି BSKY କାର୍ଡ । ଏହି ଯୋଜନା ଏବେ ଖାଲି ଉମା ନୁହନ୍ତି ଜିଲ୍ଲାର ସବୁ ଅଭାବୀ ପରିବାର ପାଇଁ ସଞ୍ଜୀବନୀ ସାଜିଥିବା କହିଛନ୍ତି ମନ୍ତ୍ରୀ । BSKY ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ସବୁ ଗରିବ ପରିବାର ।

ଏଥିସହିତ ପଢ଼ନ୍ତୁ: ବିଷ୍ଣୁଙ୍କ ବିତଣ୍ଡା ଯୁକ୍ତି, ଦରଦାମ ବଢ଼ିଲେ ସମସ୍ୟା କ’ଣ ? 

Leave a Reply