ଜାନୁଆରୀ ୩ରୁ ସର୍ବସାଧାରଣଙ୍କୁ ଦର୍ଶନ ଅନୁମତି, SOP ଜାରି

ପୁରୀ: ଦୀର୍ଘ ୯ମାସ ପରେ ଖୋଲିଛି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର । ସକାଳ ୮ଟାରୁ ଦର୍ଶନ ଆରମ୍ଭ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି । ଜାନୁଆରୀ ୩ରୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଛି ନୂଆ ଏସଓପି । ତଦନୁଯାୟୀ ମାର୍କେଟ ଛକ ନିକଟ ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ପ୍ରବେଶ କରିବାକୁ ଥିବା ବେଳେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦର୍ଶନ ପାଇଁ ଆସୁଥିଲେ ଟୋକନ ଆଣି ପୁରୀବାସୀ ଆସିବେ । ଟୋକନ ସହ ଆଧାର କାର୍ଡ଼ ବା ଭୋଟର କାର୍ଡ଼ ଆଣିବା ଜରୁରୀ । ମନ୍ଦିର ଭିତରେ ଏବଂ ବାହାରେ ମାସ୍କ ପିନ୍ଧି ଦର୍ଶନ  ଶ୍ରଦ୍ଧାଳୁ କରିବେ ।

ଏଥିସହିତ ମନ୍ଦିର ମଧ୍ୟକୁ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିବାକୁ ପଡିବ । ୯୬ ଘଣ୍ଟା ଭିତରେ କୋଭିଡ୍ ରିପୋର୍ଟ ନେଗେଟିଭ ଥିବା ବାଧ୍ୟତାମୂଳକ ହୋଇଛି । ଏପରିକି କୋଭିଡ୍ ଗାଇଡଲାଇନ୍ ଅନୁସାରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ । ଶ୍ରୀମନ୍ଦିର ଭିତରେ ଥିବା କୌଣସି ପ୍ରତିମାକୁ ଛୁଇଁ ପାରିବେନି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ସଂପୂର୍ଣ୍ଣ ନିଷେଧ ହୋଇଥିବା ବେଳେ ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ମନା କରାଯାଇଛି ।

ଆହୁରି ମଧ୍ୟ ମନ୍ଦିରର ପରିସରରେ ପାନ ଗୁଟୁଖା ଖାଇବା ମନା । ଜଗନ୍ନାଥ ବଲ୍ଲବ ମଠ ପରିସର ଓ ଅନ୍ୟ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରାଯିବ। ସେହିପରି ସିଂହଦ୍ୱାର ନିକଟରେ ପରିଚୟପତ୍ର ଦେଖାଇ ପ୍ରବେଶ କରିବେ ।

Leave a Reply