କଟକଣା ଭିତରେ ଆଜିଠୁ ଖୋଲିଲା ହୋଟେଲ ଓ ରେଷ୍ଟୁରାଣ୍ଟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି

ଭୁବନେଶ୍ୱର: ଅନଲକ୍ ୩.୦ ପର୍ଯ୍ୟାୟରେ ଧିରେ ଧିରେ ସବୁକିଛି ଅନଲକ୍ କରାଯାଉଛି । ମୋ ବସ୍ ପରେ ଏବେ ହୋଟେଲ ଓ ରେଷ୍ଟୁରାଣ୍ଟର ପାଳି ପଡିଛି । ରାଜ୍ୟରେ ଆଜିଠୁ ଖୋଲିବ ହୋଟେଲ ଓ ରେଷ୍ଟୁରାଣ୍ଟ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏସଓପି ମାନି ଖୋଲିବ ସବୁ ରେଷ୍ଟୁରାଣ୍ଟ ଓ ହୋଟେଲ । ସମସ୍ତ କୋଭିଡ ଗାଇଡଲାଇନ ମାନିବା ସହ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲରେ ବସି ଖାଇବା ମନା, କେବଳ ପାର୍ସଲ ନେବା ପାଇଁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ ଥିବା ରେଷ୍ଟୁରାଣ୍ଟ ଖୋଲିବ ନାହିଁ ।

କଣ୍ଟେନମେଣ୍ଟ ବାହାରର ସମସ୍ତ ରେଷ୍ଟୁରାଣ୍ଟ ଖୋଲିବ । ୬୫ ବର୍ଷ ବୟସରୁ ଅଧିକ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ରେଷ୍ଟୁରାଣ୍ଟ ମନା । ରେଷ୍ଟୁରାଣ୍ଟରେ ୬ ଫୁଟର ସାମାଜିକ ଦୂରତା ରକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରେଷ୍ଟୁରାଣ୍ଟରେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ । ବାରମ୍ବାର ସାବୁନ କିମ୍ବା ସାନିଟାଇଜରରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ଛିଙ୍କ, କାଶ ହେଲେ ମୁହଁ, ନାକ ରୁମାଲରେ ଘୋଡାଇବାକୁ ନିର୍ଦ୍ଦେଶ ରହିଛି ।

ରେଷ୍ଟୁରାଣ୍ଟ ପରିସରରେ କେହିବି ଛେପ ପକାଇପାରିବେ ନାହିଁ । ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରାହକଙ୍କ ହାତରେ ପାର୍ଶଲ ଦେଇପାରିବେ ନାହିଁ । ରେଷ୍ଟୁରାଣ୍ଟ କର୍ମଚାରୀ ପାର୍ଶଲ ଖାଦ୍ୟ ଗ୍ରାହକଙ୍କ ଦ୍ୱାରମୁହଁରେ ରଖିବେ । ପାର୍ଶଲ କର୍ମଚାରୀଙ୍କ ସ୍କ୍ରିନିଂ କରିବେ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ । ଲକ୍ଷଣ ନଥିବା କର୍ମଚାରୀ ହିଁ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରିବେ ।

Leave a Reply